ଅମାନିଆ ଚୀନ୍‌ ସେନା: ୬ କିମି ଭିତରକୁ ପଶି ଆସିଥିଲେ, ଭାରତୀୟ ଯବାନ ତଡ଼ିଲେ

ନୂଆଦିଲ୍ଲୀ: ପୁଣି ଥରେ ସୀମା ଉଲ୍ଲଙ୍ଘନ କରିଛି ଚୀନ୍। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଚୀନ୍ ସେନା ଲଦାଖ୍‌ର ପାଂଗଂ ହ୍ରଦ ନିକଟରେ ଭାରତ ଭିତରକୁ ୬ କିଲୋମିଟର ପଶିଆସିଥିଲା। ଏନେଇ ଭାରତୀୟ ତୀବ୍ଦତ୍ ସୀମା ପୋଲିସ୍(ITBP) ଗୃହମନ୍ତ୍ରାଳୟକୁ ଏକ ରିପୋର୍ଟ ଜରିଆରେ ସମସ୍ତ ସୂଚନା ଦେଇଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଲଦାଖ ଅଞ୍ଚଳରେ ଚୀନ୍‌ ସେନା ଭାରତ ସୀମା ଭିତରକୁ ପଶିଆସିବାକୁ ସବୁଠୁ ଅଧିକ ଥର ଚେଷ୍ଟା କରିଛି। ମାସେ ଭିତରେ ଚୀନ୍ ସେନା ୨୦ଥର ଭାରତ-ଚୀନ୍‌ ସୀମା ଉଲ୍ଲଙ୍ଘନ କରିସାରିଲାଣି। ITBP ଗୃହମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟ ଅନୁଯାୟୀ ଚୀନ୍ ଉତ୍ତର ପାଂଗଂ ହ୍ରଦ ନିକଟରେ ଗାଡ଼ି ଜରିଆରେ ଚଳିତ ବର୍ଷ ଫେବୃଆରୀ ୨୮, ମାର୍ଚ୍ଚ ୭ ଓ ମାର୍ଚ୍ଚ ୧୨ ତାରିଖରେ ସୀମା ଉଲ୍ଲଙ୍ଘନ କରିଥିଲା। ଏହି ସମୟରେ ଚୀନର ଯବାନମାନେ ହ୍ରଦ ନିକଟରେ ୩ଟି ଜାଗାରେ ୬ କିଲୋମିଟର ଯାଏଁ ପଶି ଆସିଥିଲା। ଆଇଟିବିପି ପକ୍ଷରୁ ଏହାର ବିରୋଧ କରାଯାଇଥିଲା।

ଗତ ବର୍ଷ ଅଗଷ୍ଟ ମାସରେ ଚୀନ୍ ସେନା ପାଂଗଂ ହ୍ରଦ ନିକଟରେ ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ଼ କରିଥିଲା। ସୂଚନା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଚୀନ୍ ସେନା ‌ଏହି ହ୍ରଦର ଉତ୍ତର ଭାଗରେ ଥିବା ITBP ଯବାନଙ୍କ ସହ ଯୁକ୍ତିତର୍କ କରିବାକୁ ଚେଷ୍ଟା କରିଥିଲା। ହେଲେ ITBP ଯବାନମାନେ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଥିଲା।

ଗତକାଲି ତାରିଖରେ ଖବର ଆସିଥିଲା ଯେ ଅରୁଣାଚଳ ପ୍ରଦେଶର ଅସଫିଲା ଅଞ୍ଚଳରେ ଭାରତୀୟ ସେନାର ପାଟ୍ରୋଲିଂକୁ ଚୀନ ସେନା ବିରୋଧ କରିଥିଲା। ଚୀନ୍ ଦାବି କରିଛି ଯେ ଅସଫିଲା ଅଞ୍ଚଳ ଚୀନ୍‌ର। ତେଣୁ ଚୀନ୍ ଅଭିଯୋଗ କରିଥିଲା ଯେ ଭାରତ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି। ହେଲେ ଭାରତୀୟ ସେନା ଚୀନ୍‌ର ସମସ୍ତ ଅଭିଯୋଗକୁ ଖାରଜ କରିଦେଇଛି। ଭାରତ ଜବାବ ଦେଇଥିଲା ଯେ ଅସଫିଲା ଅରୁଣାଚଳ ପ୍ରଦେଶର ସୁବନସିରି ଇଲାକାର ଏକ ଅଂଶ ଓ ଏଠାରେ ଭାରତୀୟ ସେନା ଲଗାତାର ଭାବେ ପେଟ୍ରୋଲିଂ କରେ।