ଡୋକଲାମ୍‌ରେ ପୁଣି ଚୀନ୍‌ର ବଦମାସି !

ୱାଶିଂଟନ୍‌: ଡୋକଲାମ୍‌ରେ ଗତବର୍ଷ ଭାରତକୁ ନାଲି ଆଖି ଦେଖାଇ ୭୩ ଦିନ ଧରି ବିବାଦ ସୃଷ୍ଟି କରିଥିବା ଚୀନ୍‌ ଏବେ ପୁଣି ତା’ର ପୁରୁଣା ବଦମାସି ଆରମ୍ଭ କରିଛି। ବିଶ୍ୱବାସୀଙ୍କୁ ଅନ୍ଧାରରେ ରଖି ଚୀନ୍‌ ଡୋକଲାମ୍‌ରେ ପୁଣି ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଛି ବୋଲି ଆଜି ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୀନ୍‌ ଧୀରେଧୀରେ ଡୋକଲାମ୍‌ରେ ନିଜର ଆଧିପତ୍ୟ ବିସ୍ତାର କରୁଥିଲେ ହେଁ ଆଜି ଯାଏ ଭାରତ କିମ୍ବା ଭୁଟାନ ଏହାକୁ ବିରୋଧ କରୁନାହାନ୍ତି।  କାରଣ ଏମାନେ ଚୀନ୍‌ର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ କୌଣସି ତଥ୍ୟ ପାଇନାହାନ୍ତି।  ଚୀନ୍‌  ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରରେ ଯେଉଁ କାର୍ଯ୍ୟ କରୁଛି, ଏଠାରେ ମଧ୍ୟ ସମାନ ନୀତି ଆପଣାଉଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଚୀନ୍‌ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ନିଜର ବୋଲି କହୁଛି। କିନ୍ତୁ ଭିଏତନାମ, ମ୍ୟାଲେସିୟା, ଫିଲିପାଇନସ୍‌, ବ୍ରୁନେଇ ଓ ତାଇୱାନ ଏହାକୁ ବିରୋଧ କରୁଛନ୍ତି। ଏହାକୁ ନେଇ ବିବାଦ ଜାରି ରହିଛି। କେବଳ ଯେ ଦକ୍ଷିଣ ଚୀନ୍‌ ସାଗରକୁ ନେଇ ବିବାଦ ରହିଛି ତାହା ନୁହେଁ, ପୂର୍ବ ଚୀନ୍‌ ସାଗରକୁ ନେଇ ମଧ୍ୟ ବିବାଦ ଲାଗି ରହିଛି। ଚୀନ୍‌ ଏହି ଅଞ୍ଚଳରେ ଏକାଧିକ କୃତ୍ରିମ ଦ୍ୱୀପପୁଞ୍ଜ ନିର୍ମାଣ କରିଛି। ଏଠାରେ ନିଜର ସେନା ବାହିନୀକୁ ମୁତୟନ କରି ଅନ୍ୟ ରାଷ୍ଟ୍ରମାନଙ୍କୁ ନାଲି ଆଖି ଦେଖାଉଛି। ଯାହାକୁ ଆମେରିକା ବିରୋଧ କରୁଛି।

ଆମେରିକା ଅଧିକାରୀ ଇଲେସ୍‌ ଜି ୱେଲସ୍‌ କହିଛନ୍ତି, ଚୀନ୍‌ ଦକ୍ଷିଣ ଚୀନ୍‌ ସାଗର ସମେତ ଡୋକଲାମ୍‌ରେ ମଧ୍ୟ ନିଜର ଆଧିପତ୍ୟ ବସ୍ତାର କରିବାକୁ ଚାହୁଁଛି। ଫଳରେ ଭାରତକୁ ଅନ୍ଧାରରେ ରଖି ସେଠାରେ ନିଜର ଉପସ୍ଥିତି ଜାହିର କରୁଛି। ପୂର୍ବରୁ ଏହି ଅଞ୍ଚଳରେ ଭାରତ ସହ ଚୀନ୍‌ ସେନା ମୁହାଁମୁହିଁ ହୋଇଥିଲେ। କିନ୍ତୁ କୂଟନୀତିକ ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ ହୋଇଥିଲା। ହେଲେ ଏବେ ପୁଣି ଚୀନ୍‌ ତା’ର ପୁରୁଣା କାର୍ଯ୍ୟ ଆରମ୍ଭ କରିଛି ବୋଲି ସେ କହିଛନ୍ତି।