ନରମିଲା ଚୀନ୍‌: କହିଲା, ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି

ବେଞ୍ଜିଂ: ଡୋକଲାମକୁ ନେଇ ଭାରତ ଓ ଚୀନ୍‌ ସୀମାରେ ଅଶାନ୍ତି ଲାଗି ରହିଛି। ବାରମ୍ବାର ଭାରତକୁ ଯୁଦ୍ଧର ଧମକ ଦେଉଥିବା ଚୀନ୍‌ ଆଜି ତା’ର ମନୋଭାବରେ ପରିବର୍ତ୍ତନ କରିଛି। ଚୀନ୍‌ ବିଦେଶ ପ୍ରବକ୍ତାଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି।

ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଲୁ କାଙ୍ଗ କହିଛନ୍ତି- “ବ୍ରିକ୍ସ ବୈଠକ ପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତାଙ୍କ ସମକକ୍ଷ ୟାଙ୍ଗ ଜୀଚିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ। ଉଭୟ ହୋଭାଲ ଏବଂ ୟାଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତାର ଦ୍ୱାର ଖୋଲା ରହିଛି।”

ସେ କହିଛନ୍ତି ମୋ ପାଖରେ ଏନେଇ ପ୍ରାସଙ୍ଗିକ ସୂଚନା ନାହିଁ। ତଥାପି ବୈଠକ ପରେ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପାଇଁ ସମୟ ସ୍ଥିର ହୋଇଛି।

ଡୋଭାଲ ଚଳିତ ସପ୍ତାହ ୨୭ ଓ ୨୮ ତାରିଖକୁ ଦୁଇଦିନିଆ ଗସ୍ତରେ ବେଞ୍ଜିଂ ଯାଉଛନ୍ତି। ସେଠାରେ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ସେଠାରେ ଔପଚାରିକ ବୈଠକ ପରେ ସୀମା ବିବାଦକୁ ନେଇ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହାସହ ଲୁ କାଙ୍ଗ ଚୀନ୍‌ ସୀମାରୁ ଭାରତୀୟ ସେନା ହଟିବା କଥାକୁ ମଧ୍ୟ ଦୋହରାଇଛନ୍ତି। ଭାରତ ସେନା ହଟାଇବା ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଠିକ୍‌ ଭାବେ ହୋଇପାରିବ ବୋଲି ସେ କହିଛନ୍ତି।