ସାମରିକ ଶକ୍ତି ପ୍ରଦର୍ଶନ କଲା ଚୀନ: ଜିନ୍ ପିଙ୍ଗ କହିଲେ ଆମେ ପୃଥିବୀର ଯେକୌଣସି ଶକ୍ତିକୁ ହରାଇବାକୁ ସମର୍ଥ

ନୂଆଦିଲ୍ଲୀ: ଶକ୍ତି ପ୍ରଦର୍ଶନ କରିଛି ଚୀନ।  ପିପୁଲସ୍ ଲିବରେସନ ‌ଆର୍ମିର ପ୍ରତିଷ୍ଠା ଦିବସ ଅବସରରେ ଚୀନସେନା ପକ୍ଷରୁ ଆଜି ବୃହତ ପରେଡର ଆୟୋଜନ କରାଯାଇଛି।  ଏଥିରେ ୧୨ହଜାର ସୈନିକ ଭାଗ ନେଇଥିଲେ।  ଏଥିସହ ୬ଶହରୁ ଅଧିକ ଯୁଦ୍ଧାସ୍ତ୍ର ଓ ଶହେ ଏୟାରକ୍ରାଫ୍ଟ ପ୍ରଦର୍ଶନ କରାଯାଇଥିଲା।  ଉତ୍ତର ଚୀନରେ ଥିବା ଜୁରିହେ ମିଲିଟାରୀ ଗ୍ରାଉଣ୍ଡରେ ଏଭଳି ସାମରିକ ଶକ୍ତି ପ୍ରଦର୍ଶନ କରାଯାଇଥିଲା।

ଚୀନ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।  ଏହି ଅବସରରେ ସେ ପିପୁଲସ ଲିବରେସନ ଆର୍ମିର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।  ଦେଶର ସୁରକ୍ଷା ଓ ସାର୍ବଭୌମତ୍ୟ ରକ୍ଷା ପାଇଁ ସେମାନେ ନିଜକୁ ଆହୁରି ପ୍ରସ୍ତୁତ କରିବା ଦରକାର ବୋଲି  ରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ।  ଆବଶ୍ୟକ ପଡ଼ିଲେ ଚୀନ ସେନା ଶତ୍ରୁପକ୍ଷର ଯେ କୌଣସି ପ୍ରକାର ମୁକାବିଲା କରିବାକୁ ପୂରା ସକ୍ଷମ ବୋଲି ସେ କହିଥିଲେ। ପୃଥିବୀର ଯେକୌଣସି ଶକ୍ତିକୁ ହରାଇବାକୁ ଚୀନ ସମର୍ଥ ବୋଲି ସେ କହିଥିଲେ।

ଚୀନ ରାଷ୍ଟ୍ରପତି କିନ୍ତୁ କୌଣସି ଦେଶର ନାଁ ନେଇ ନ ଥିଲେ।  ଦକ୍ଷିଣ ତାଇୱାନ, ଜାପାନ ଓ ଭାରତର ଡୋକଲାମ ଅଞ୍ଚଳକୁ ନେଇ ଚୀନର ସୀମା ବିବାଦ ଦେଖାଦେଇଥିବା ବେଳେ ଜିନ୍‌ ପିଙ୍ଗଙ୍କ ଆହ୍ୱାନ ଅନେକ ଗୁରୁତ୍ୱ ରଖୁଛି।  ପ୍ରଥମ ଥର ପାଇଁ ଚୀନ ଆର୍ମିର ପ୍ରତିଷ୍ଠା ଦିବସରରେ ଚଳିତବର୍ଷ ମିଳିତ ପରେଡରେ ଆୟୋଜନ କରାଯାଇଛି।