ପୁଣି ଦାଦାଗିରି: ସିକିମ୍‌ରେ ପଶି ଭାରତୀୟ ବଙ୍କରକୁ ଉଡ଼ାଇଦେଲା ଚୀନ୍ ସେନା

ନୂଆଦିଲ୍ଲୀ:ସିକିମ ସୀମାରେ ଭାରତ-ଚାଇନା ମୁହାମୁହିଁ। ଲାଇନ୍ ଅଫ ଆକ୍ଟୁଆଲ କଣ୍ଟ୍ରୋଲକୁ (ଏଲଏସି) ଜବରଦସ୍ତ ଅତିକ୍ରମ କରି ଚାଇନା ସେନା ଭାରତକୁ ପ୍ରବେଶ କରି ଆତଙ୍କ ସୃଷ୍ଟି କରିଛି । ଚାଇନା ସେନା ପକ୍ଷରୁ ଭାରତର ଦୁଇଟି ବଙ୍କରକୁ ନଷ୍ଟ କରିଦିଆଯାଇଛି। ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ଚୀନ ଏବଂ ଭାରତୀୟ ସେନା ଉଭୟ ଛକାପଞ୍ଝା ସ୍ଥିତିରେ ଅଛନ୍ତି।

ସିକିମ ସେକ୍ଟରର ଡୋକା ଲା ଜେନେରାଲ ଏରିଆରେ ଗତ ୧୦ ଦିନ ଧରି ଅପ୍ରିତୀକର ପରିସ୍ଥିତି ଲାଗିରହିଛି। ଚାଇନା ସେନା ଜବରଦସ୍ତ ଅନୁପ୍ରବେଶ ଉଦ୍ୟମ କରିବାରୁ ଏଭଳି ବିବାଦ ଉପୁଜିଛି। ଚାଇନା ସେନାକୁ ଅଟକାଇବା ପାଇଁ ଭାରତୀୟ ଯବାନଙ୍କ ପକ୍ଷରୁ ସେଠାରେ ଏକ ମାନବ ଶୃଙ୍ଖଳ କରାଯାଇଥିଲା ଏହାର ଜବାବରେ ସୋମବାର ଶୈବପୀଠ ମନୋସରୋବରକୁ ଯାଉଥିବା ତୀର୍ଥ ଯାତ୍ରୀଙ୍କୁ ଅଟକାଇ ଦେଇଛି ଚୀନ। ଡୋକା ଲା ଜେନେରାଲ ଏରିଆର ଲାଲଟେନ୍‌ ଅଞ୍ଚଳରେ ଦୁଇଟି ବଙ୍କରକୁ ଉଡ଼ାଇ ଦେଇଛି ଚୀନ୍‌। ଗତ ୨୦ ତାରିଖରେ  ଉଭୟଦେଶର ସେନା ଅଧିକାରୀଙ୍କୁ ନେଇ ଏକ ଫ୍ଲାଗ ମିଟିଂ ହୋଇଥିଲେ ମଧ୍ୟ ପରିସ୍ଥିତିରେ ସୁଧାର ଆସି ନାହିଁ।  ତେବେ ଚାଇନାର ଦାଦାଗିରି ଏହା ପ୍ରଥମ ଘଟଣା ନୁହେଁ। ୨୦୦୮ରେ ମଧ୍ୟ ଭାରତର କେତେକ ବଙ୍କରକୁ ଉଡ଼ାଇଦେଇଥିଲା ଚାଇନା ।