ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦୀୟ ଡୋକଲମ ଅଞ୍ଚଳରେ ଚୀନର ନିର୍ମାଣ। ଏଥର କେବଳ ରାସ୍ତା ନୁହେଁ, ପୁରା ସାମରିକ ଛାଉଣୀ ନିର୍ମାଣ କରାଯାଉଛି। ଏସବୁ ଧରାପଡ଼ିଛି ସାଟେଲାଇଟର ଚିତ୍ରରୁ। ଗତ ଡିସେମ୍ବରରେ ଉତ୍ତୋଳନ କରାଯାଇଥିବା ଏହି ଚିତ୍ରରୁ ଜଣାପଡୁଛି, ବିବାଦୀୟ ଡୋକଲମ ଅଞ୍ଚଳରେ ଚୀନ ରାସ୍ତା ନିର୍ମାଣ ବନ୍ଦ କରିନାହିଁ। ସିକିମରେ ଥିବା ଡୋକଲାମ ପୋଷ୍ଟରୁ ମାତ୍ର ୮୧ ମିଟର ଦୂରରେ ତିଆରି ହେଉଛି ଚୀନର ସେନା ଛାଉଣୀ। ଦୁଇଟି ହେଲିପ୍ୟାଡ୍ ସ୍ପଷ୍ଟ ଭାବେ ଦିଶୁଛି। ତା ସହିତ ଏକ ରାସ୍ତା ମଧ୍ୟ ନିର୍ମାଣ ହୋଇଥିବା ଜଣାପଡୁଛି, ଯାହାକି ଭାରତୀୟ ପୋଷ୍ଟରୁ ୧୦ କିଲୋମିଟର ଦୂରରେ ଅଛି।
କେତେକ ଫଟୋରେ ଚୀନର କମାଣ ଥିବା ପରି ଜଣାପଡୁଛି। ସୂଚନା ଅନୁସାରେ ବର୍ତ୍ତମାନ ସେଠାରେ ୧୫ ଶହରୁ ଅଧିକ ଚୀନ ସୈନ୍ୟ ଅଛନ୍ତି। ଆଗରୁ କେବେ ବି ଶୀତ ଦିନେ ଚୀନ ଏତେ ସୈନ୍ୟ ସେଠାରେ ମୁତୟନ କରିନଥିଲା। ଚୀନ ସେନାର ଗତିବିଧି ଉପରେ ରଖାଯାଇଥିବା କହିଛି ଭାରତୀୟ ସେନା।

ସିକିମର ପୂର୍ବରେ ଥିବା ଏହି ଡୋକଲମ ଅଞ୍ଚଳକୁ ନିଜର ବୋଲି ଦାବି କରୁଛି ଭୁଟାନ। ଏହାକୁ ନେଇ ଜୁନ-ଜୁଲାଇରେ ମୁହାମୁହିଁ ହୋଇଥିଲେ ଭାରତୀୟ ସେନା ଓ ଚୀନ ସେନା। ପ୍ରାୟ ଅଢ଼େଇ ମାସ ଧରି କେହି ପଛକୁ ହଟିନଥିଲେ। ଭାରତ ଅଟଳ ରହିବାରୁ ବାଧ୍ୟ ହୋଇ ଶେଷରେ ହଟିଥିଲା ଚୀନ ସେନା। ସେତେବେଳେ କୁହାଯାଇଥିଲା ଚୀନ ରାସ୍ତା ନିର୍ମାଣ ବନ୍ଦ କରିଛି। କିନ୍ତୁ ସାଟେଲାଇଟ ଚିତ୍ର ଏହାର ଠିକ୍ ଓଲଟା କଥା କହୁଛି।