ଚୀନରେ ବୁଡ଼ି ଗଲା ଜାହାଜ: ୪୦୦ ମୃତ

ବେଜିଂ: ଦକ୍ଷିଣ ଚୀନର ହୁବେଇ ପ୍ରଦେଶର ୟାଙ୍ଗଜୀ ନଦୀରେ ସୋମବାର ରାତିରେ ଏକ ପର୍ଯ୍ୟଟକ ଜାହାଜ ବୁଡ଼ି ଯାଇଛି। ଏଥିରେ ୪୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଚୀନର ବିଭିନ୍ନ ଗଣମାଧ୍ୟମଗୁଡ଼ିକରେ ଖବର ପ୍ରକାଶ ପାଇଛି। ତେବେ ଜାହାଜର କ୍ୟାପଟେନ୍ ଓ ଆଉ ଜଣେ ଅଧିକାରୀଙ୍କୁ ଉଦ୍ଧାର କରାଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବୁଡ଼ି ଯାଇଥିବା ଜାହାଜଟି ପୂର୍ବ ଚୀନର ଜିୟାଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗରୁ ଦକ୍ଷିଣ ଚୀନର ଚୌଙ୍ଗକିଂ ସହରକୁ ଯାଉଥିଲା। ଜାହାଜଟିରେ ୪୦୬ ଜଣ ଚୀନ ନାଗରିକଙ୍କ ସହିତ ଟ୍ରାଭେଲ ଏଜେନ୍ସୀର ୫ ଜଣ କର୍ମଚାରୀ ଓ ଜାହାଜର ୪୭ କର୍ମଚାରୀ ସବାର ହୋଇଥିଲେ। ବୁଡ଼ିବା ପୂର୍ବରୁ ଜାହାଜଟି ଏସଓଏସ (ସେଭ୍ ଆୱାର ସୋଲ୍) ସିଗନାଲ୍ ବି ଦେଇ ନଥିଲା ବୋଲି ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କିଛି ଲୋକ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ଆଉ କେତେ ଜଣଙ୍କୁ ଧୀବରମାନେ ଉଦ୍ଧାର କରିଥିଲେ।

ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଚୀନ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳକୁ ବାହାରି ଯାଇଛନ୍ତି। ଏହା ସହିତ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଓ ଉଦ୍ଧାର ହୋଇଥିବା ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।