ନାଗରିକତା ସଂଶୋଧନ ଆଇନକୁ ନେଇ ମୋଦି-ଶାହ ଯୋଡ଼ିଙ୍କୁ ସୋନିଆଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ବିଜେପି ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ବିଶାଳ ଭାରତ ବଞ୍ଚାଅ ସଭା ଆୟୋଜନ କରାଯାଇଛି। ଏଥିରେ କଂଗ୍ରେସର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧି ନାଗରିକତା ସଂଶୋଧନ ଆଇନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ନାଗରିକତା ସଂଶୋଧନ ଆଇନ(ସିଏଏ) ଭାରତାର ଆତ୍ମାକୁ ଖଣ୍ଡଖଣ୍ଡ କରିଦେବ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ ଏହାକୁ ଖାତିର କରୁନାହାନ୍ତି। ଏହା ଭାରତର ସମ୍ବିଧାନକୁ ଉଲ୍ଲଙ୍ଘନ କରୁଛି। ସେମାନେ ସିଏଏ ଆଣି ଭାରତକୁ ଖଣ୍ଡଖଣ୍ଡ କରୁଛନ୍ତି।

ମୋଦି ସରକାର ସଂସଦ କିମ୍ବା ସମ୍ବିଧାନକୁ ସମ୍ମାନ ଦେଉନାହାନ୍ତି। ସେମାନେ କେବଳ ବିଭେଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ଏବଂ ଲୋକଙ୍କୁ ନିଜ ନିଜ ମଧ୍ୟରେ ଯୁଦ୍ଧ କରିବାକୁ ଉସକାଉଛନ୍ତି। ସେମାନେ ନିଜ ଇଚ୍ଛା ଅନୁସାରେ ଆଇନ ପରିଣତ କରୁଛନ୍ତି ଏବଂ ଗୋଟିଏ ରାଜ୍ୟକୁ ମିଳିଥିବା ମାନ୍ୟତାକୁ ବଦଳାଇ ଦେଉଛନ୍ତି।

ପ୍ରତିଦିନ ମୋଦି ସରକାର ସମ୍ବିଧାନକୁ ଭାଙ୍ଗିବାରେ ଲାଗିଛନ୍ତି। ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ଓ ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ କରିଥିଲେ। ଏବେ ଏହାକୁ ଧ୍ୱଂସ କରାଯାଉଛି। ହେଲେ କଂଗ୍ରେସ ସର୍ବଦା ଏହାର ସୁରକ୍ଷା ପାଇଁ ସଂଘର୍ଷ କରିବ। ଦେଶର ଗଣତନ୍ତ୍ର, ସମ୍ବିଧାନର ସୁରକ୍ଷା ପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ। ଆମେ ଏହାର ସୁରକ୍ଷା ପାଇଁ ସଂଘର୍ଷ କରିବା ଦରକାର।”

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବରିଷ୍ଠ ନେତା ପି ଚିଦାମ୍ବରମ ମଧ୍ୟ ମୋଦି ସରକାର ଓ ବିଜେପି ଉପରେ ଜୋରଦାର ହମଲା କରିଥିଲେ।