ସିଏବି: ସୁଧୁରୁଛି ଆସାମ, ପଶ୍ଚିମବଙ୍ଗରେ ହିଂସା ଜାରି

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ବିଲ୍‌ ସଂସଦର ଦୁଇ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇସାରିଛି। ତେବେ ଏହି ବିଲ୍‌ ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏବେ ଆସାମରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି। ଏହି ଆନ୍ଦୋଳନର ନିଆଁ ପୂର୍ବ ଓ ଉତ୍ତର ପୂର୍ବ ଭାରତ ସହ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ଏବଂ ଅନ୍ୟ ଅଞ୍ଚଳକୁ ଆଡ଼କୁ ମୁହାଁଇଛି।

ତେବେ ଏହି ଆନ୍ଦୋଳନ ସବୁଠାରୁ ପ୍ରଥମେ ବ୍ୟାପକ ହୋଇଥିବା ଆସାମରେ ସ୍ଥିତି ସୁଧୁରୁଛି ବୋଲି ଆସାମ ଡିଜିପି ଭାସ୍କର ଜ୍ୟୋତି ମହାନ୍ତ ସୂଚନା ଦେଇଛନ୍ତି। ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଆମେ ଶାନ୍ତି ପାଇଁ ପ୍ରୟାସ ଚାଲୁ ରଖିଛୁ। ଆଜି ଦିନଟି ଅପେକ୍ଷାକୃତ ଭଲ ଥିଲା। କିନ୍ତୁ ଆମେ କଡ଼ା ନଜର ରଖିଛୁ। ଆମ ଟିମ୍‌ ଦିନରାତି ସଜାଗ ଅଛନ୍ତି। ଏହା କଷ୍ଟକର ସମୟ, କିନ୍ତୁ ଆମେ କାମ ଜାରି ରଖିଛୁ।” ସେ ଏହି ଅବସରରେ ସୂଚନା ଦେଇଛନ୍ତି ପୁଲିସ୍‌ ଲୋକଙ୍କ ଉପରେ କଟକଣା ଲଗାଇବା ବଦଳରେ ସେମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଦିଆଯାଉଛି। ସ୍ଥିତି ସୁଧୁରିଗଲେ ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଅଲ୍‌ ଆସାମ ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ ଡାକରାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଏହାକୁ ଦମନ କରିବାକୁ ଯାଇ ପୁଲିସ୍‌ ଗୁଳିରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ପଶ୍ଚିମବଙ୍ଗରେ କିନ୍ତୁ ବିଭିନ୍ନ ମୁସଲିମ୍‌ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଶୁକ୍ରବାର ନମାଜ ପରେ ଶାନ୍ତି ପୂର୍ଣ୍ଣ ଭାବେ ଆଜି ବିରୋଧ ଦେଖିବାକୁ ମିଳିଥିଲା। କୋଲକାତା, ଆରାମବାଗ, ପଶ୍ଚିମ ମେଦିନାପୁର, ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣା ଆଦିରେ ସରକାର ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ହାୱଡ଼ା ଏବଂ ମୁର୍ଶିଦାବାଦଠାରେ ଏହି ଆନ୍ଦୋଳନ ହିଂସ୍ର ରୂପ ନେଇଥିଲା। ଏପରକି କିଛି ଲୋକ ହାୱଡ଼ା ଷ୍ଟେସନ୍‌ଠାରେ ଚଳନ୍ତା ଟ୍ରେନ୍‌ ଉପରକୁ ଢେଲା ମାଡ଼ କରିଥିଲେ।

ମୁର୍ଶିଦାବାଦର ବେଲଡାଙ୍ଗଠାରେ ଆନ୍ଦୋଳନକାରୀମାନେ ଏକ ରେଲ୍‌ୱେ ଷ୍ଟେସନ୍‌ ଏବଂ ପୁଲିସ୍‌ ଷ୍ଟେସନ୍‌ ଭଙ୍ଗାରୁଜା କରିଛନ୍ତି। ସେମାନେ ଗାଡ଼ି ଭାଙ୍ଗିବା ସହ ଆମ୍ବୁଲାନ୍ସ ଉପରକୁ ମଧ୍ୟ ଢେଲାମାଡ଼ କରିଛନ୍ତି। ଆମ୍ବୁଲାନ୍ସର ଚାଳକ ଏହାର ପ୍ରତିବାଦ କରିଥିବାବେଳେ କିଛି ଲୋକ ଢେଲା ଓ ପଥରରେ ଗାଡ଼ି ଉପରକୁ ଆକ୍ରମଣ କରିଥିବା ଚିତ୍ର ଭାଇରାଲ ହେବାରେ ଲାଗିଛି। ଏହି ଆନ୍ଦୋଳନରେ ଜଣେ ପୁଲିସ୍‌ ଆହତ ହୋଇଛନ୍ତି। ତେବେ ଏପରି ସ୍ଥିତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି।


ସେପଟେ ରାଜଧାନୀ ନୂଆଦିଲ୍ଲୀରେ ସିଏବି ବିରୋଧୀ ଆନ୍ଦୋଳନ ଜୋର ଧରିଛି। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସିଏବିରେ ମୁସଲିମ୍‌ଙ୍କୁ ସାମିଲ କରାନଯିବା ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଢେଲାମାଡ଼, ଲାଠି ମାଡ଼, ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ ଆଦି ସେଠାରେ ଦେଖିବାକୁ ମିଳିଥିଲା। ପ୍ରରୟ ୩ ଜଣ ପୁଲିସ୍‌ ଆହତ ହୋଇଥିବାବେଳେ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିନାହିଁ। ଶୁକ୍ରବାର ସେମାନେ ସଂସଦ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିଲାବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାପରେ ସେମାନେ ଏସ୍କର୍ଟସ ରେଡଲାଇଟ୍‌ ଆଡ଼କୁ ଯିବାର ପ୍ରୟାସ କଲାବେଳେ ବ୍ୟାପକ ପୁଲିସ୍‌ ନିୟୋଜନ କରି ସେମାନଙ୍କୁ ଅଟକା ଯାଇଥିଲା। ପରେ ଏହି ଛାତ୍ରଛାତ୍ରୀମାନେ ବ୍ୟାରିକେଡ୍‌ ଡେଇଁବାକୁ ପ୍ରୟାସ କରିବାବେଳେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ଅନ୍ୟପକ୍ଷରେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ପୃଥକ ପୃଥକ ଭାବେ ପ୍ରତିବାଦ କରିଥିଲେ। ସେହିଭଳି ଗୋଆରେ ମଧ୍ୟ ବିରୋଧ ଦେଖିବାକୁ ମିଳିଛି।

ତେବେ ସାରା ଦେଶରେ ସିଏବିକୁ ନେଇ ବିରୋଧ ଦେଖାଯାଉଥିବାବେଳେ ଏସବୁ ପରସ୍ପର ବିରୋଧୀ ବୋଲି ଜଣାପଡ଼ିଛି। ଉତ୍ତର-ପୂର୍ବ ଭାରତରେ ନା ଶରଣାର୍ଥୀ ନା ଅନୁପ୍ରବେଶକାରୀ କାହାରିକୁ ବି ନାଗରିକତା ସମର୍ଥନରେ ନଥିବାବେଳେ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ କେବଳ ମୁସଲିମ୍‌ଙ୍କୁ ସାମିଲ କରାନଯିବା ନେଇ ବିରୋଧ କରାଯାଉଛି। ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ବିଲ୍‌ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଧର୍ମ କାରଣରରୁ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ସେଠାକାର ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକଙ୍କୁ ନାଗରିକତା ଦିଆଯିବାର ନିୟମ ରହିଛି। ଏଥିପାଇଁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ସେମାନେ ଭାରତର ୬ ବର୍ଷ ରହିଥିବାର ସର୍ତ୍ତ ରହିଛି।