ପ୍ରଥମ ଥର ପାଇଁ ହାଇକୋର୍ଟ ଜଜଙ୍କ ବିରୋଧରେ ମାମଲା ରୁଜୁ ହେବ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ତଦନ୍ତ କରିବ ସିବିଆଇ। ୨୦୧୭ରେ ଉତ୍ତର ପ୍ରଦେଶର ଏକ ଘରୋଇ ମେଡିକାଲ କଲେଜକୁ ଆଡମିଶନ ପାଇଁ ଅନୁମୋଦନ ନେଇ ହୋଇଥିବା ଆବେଦନର ତଦନ୍ତ ସିବିଆଇ କରିବ। ଏଥିପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅନୁମତି ମାଗିଥିଲା ସିବିଆଇ। ଏହା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସଂସଦରେ ବିଚାରପତି ଏସଏନ ଶୁକ୍ଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ।
ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ତାଙ୍କ କାର୍ଯ୍ୟକାଳ ସମୟରେ ତିନି ଜଣିଆ ବିଚାରପତି କମିଟି ଗଠନ କରି ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ତଦନ୍ତ କରିଥିଲେ। ଯେଉଁଥିରେ ଜଷ୍ଟିସ୍ ଏସଏନ ଶୁକ୍ଳା ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଏହାପରେ ଜଷ୍ଟିସ ଶୁକ୍ଳାଙ୍କୁ ସ୍ୱେଚ୍ଛାକୃତ ଅବସର ନେବାକୁ ସୁପ୍ରିମକୋର୍ଟ କହିଥିଲେ। ହେଲେ ସେ ଇସ୍ତଫା ଦେବାକୁ ରାଜି ହୋଇନଥିଲେ। ଏହାପରେ ତାଙ୍କ ପାଖରୁ ନ୍ୟାୟିକ ଦାୟିତ୍ୱ କାଢ଼ି ନେଇଥିଲେ ସୁପ୍ରିମକୋର୍ଟ। କାର୍ଯ୍ୟରତ ବିଚାରପତିଙ୍କ ବିରୋଧରେ କେହି ମାମଲା ରୁଜୁ କରିପାରିବେ ନାହିଁ। ଏଥିପାଇଁ ପ୍ରଧାନ ବିଚାରପତିଙ୍କ ଅନୁମତି ନେବା ଆବଶ୍ୟକ। ସେଥିପାଇଁ ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ତଦନ୍ତ ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ନିକଟରେ ସିବିଆଇ ଆବେଦନ କରିଥିଲା।
ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ହୋଇଥିବା ଘୋଟାଲାକୁ ନେଇ ଓଡ଼ିଶା ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ୍ ଆଇଏମ କୁଦ୍ଦୁସୀ, ମେଡିକାଲ କଲେଜର ଟ୍ରଷ୍ଟ ମୁଖ୍ୟ ବିପି ଯାଦବ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ଦେଶର ୪୬ ମେଡିକାଲ କଲେଜରେ ବେଆଇନ ଭାବରେ ଚାଲୁଥିବା ନଜରକୁ ଆସିଥିଲା। ଏହାପରେ ସୁପ୍ରିମକୋର୍ଟ ଏହି କଲେଜ ଗୁଡ଼ିକରେ ଆଡମିଶନ ଉପରେ ରୋକ୍ ଲଗାଇ ଦେଇଥିଲେ। ହେଲେ ଜଷ୍ଟିସ୍ ଏସଏନ ଶୁକ୍ଳା ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜକୁ ଆଡମିଶନ ପାଇଁ ଅନୁମତି ଦେଇଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।