ଗାଳିର ପ୍ରତିଶୋଧ ଗୁଳିରେ: ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ୧୨ ବର୍ଷର ଛାତ୍ର

ଯମୁନାନଗର,(ହରିୟାଣା):ସ୍କୁଲ ପ୍ରିନ୍ସପାଲଙ୍କୁ ଗୁଳିକଲେ ୧୨ ବର୍ଷର ଛାତ୍ର।  ଏମିତି ଏକ ଅଭାବନୀୟ ଘଟଣା ହରିୟାଣାର ଏକ ବେସରକାରୀ ସ୍କୁଲରେ ଘଟିଛି।  ଅଭିଯୁକ୍ତ ଛାତ୍ରକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।  ହତ୍ୟାକାଣ୍ଡରେ ଶିକାର ହୋଇଥିବା ପ୍ରିନ୍ସପାଲ ଜଣକ ହେଉଛନ୍ତି ଋତୁ ଛାବ୍ରା। ଆଉ ସେ ଜଣେ ମହିଳା।  ସେହିପରି ଗୁଳିକରିଥିବା ଛାତ୍ର ଜଣକ ଯମୁନାନଗର ଅଞ୍ଚଳର ବୋଲି ପୋଲିସ କହିଛି।  ତେବେ ସମ୍ପୃକ୍ତ ପ୍ରିନ୍ସପାଲଙ୍କ ଗାଳିରେ ଅତିଷ୍ଟ ଓ ଅପମାନ ହୋଇ ଛାତ୍ର ଜଣକ ଏଭଳି କାଣ୍ଡ ଭିଆଇଥିବା ପୋଲିସ କହିଛି। ପ୍ରିନ୍ସପାଲଙ୍କ ଶରୀରରେ ୩ଟି ଗୁଳି ବାଜିଛି। ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଛାତ୍ରଙ୍କୁ ସ୍କୁଲରୁ ବହିସ୍କାର କରାଯାଇଛି। ସେହିପରି ବନ୍ଧୁକଟି ଛାତ୍ର ଜଣକ ବାପାଙ୍କର ଏବଂ ଏହା ଲାଇସେନ୍ସ ପ୍ରାପ୍ତ ବୋଲି ଜଣାପଡ଼ିଛି।  ସୂଚନା ଅନୁଯାୟୀ ଛାତ୍ର ଜଣକ ଶନିବାର ଦିନ ୧୨ଟା ବେଳେ ଆସିଥିଲା ।

ଆଉ ସେ  ପ୍ରିନ୍ସପାଲଙ୍କୁ ଭେଟିବା ପାଇଁ ଚାହୁଛନ୍ତି ବୋଲି କହିଥିଲେ।  ପରେ ସିଧା ପ୍ରିନ୍ସପାଲଙ୍କ ଚାମ୍ବରକୁ ଯାଇ ତାଙ୍କ ଉପରକୁ ଗୁଳିଚାଳାନା କରିଥିଲେ।  ଏହି ସମୟରେ ସ୍କୁଲର କର୍ମଚାରୀମାନେ ପିଲାଟିକୁ କାବୁ କରିନେଇ ଥିଲେ। ପରେ ଖବର ପାଇ ଯମୁନାନଗର ଏସପି ରାଜେସ କାଳିଆ ଛାତ୍ର ଜଣକୁ ଥାନାକୁ ନେଇ ତଦନ୍ତ ଜାରି ରଖିଛନ୍ତି।  ଏଥିସହ ଆର୍ମସ ଆକ୍ସରେ ପୋଲିସ ସମ୍ପୃକ୍ତ ଛାତ୍ରଙ୍କ ବାପାଙ୍କ ନାମରେ ମାମଲା ରୁଜୁ କରିଛି।

ଗତ ବର୍ଷ ଗୋରଗାଁଉରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା।  ଜଣେ ୧୬ ବର୍ଷର ବାଳକ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରିଥିଲେ। ପରୀକ୍ଷା ବନ୍ଦ କରିବା ପାଇଁ ଏମିତି ଏକ ଭୟଙ୍କର ଯୋଜନା ପାଞ୍ଚିଥିଲା। ସେହିପରି ଲକ୍ଷ୍ନୌରେ ଗତ ବର୍ଷ ଜାନୁଆରୀରେ ଜଣେ ପ୍ରଥମ ବର୍ଷର ଛାତ୍ର ଜଣେ ଉପର କ୍ଲାସର ଛାତ୍ରଙ୍କ ଛୁରୀ ଆକ୍ରମଣରେ ଶିକାର ହୋଇଥିଲେ। କାରଣ ବି ଅତି ବିଚିତ୍ର ଥିଲା।  ଶୀଘ୍ର ସ୍କୁଲ ଛୁଟି କରିବା ପାଇଁ ଛାତ୍ରୀ ଜଣକ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଥିଲା।