ପ୍ରଥମ ଶ୍ରେଣୀ ଛାତ୍ରଟି କ’ଣ କଲା? ଛୁରୀ ଭୁସି ଦେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ

ଲକ୍ଷ୍ନୌ: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଛୁରାମାଡ଼ରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବ୍ରାଇଟ୍‌ଲ୍ୟାଣ୍ଡ ସ୍କୁଲରେ। ଏ ଘଟଣାରେ ସ୍କୁଲ୍‌ର ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଛି। କାରଣ ସେ ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ସକାଳେ ଛାତ୍ରୀ ଜଣଙ୍କ ସ୍କୁଲ୍ ଶୌଚାଳୟରେ ଛାତ୍ର ଜଣଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗଛି। ତେବେ ଏବେ ସେ  ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆହତ ଛାତ୍ରଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇଥିଲେ।

ଛାତ୍ରଙ୍କ ବାପା କହିଛନ୍ତି,“ମୋ ପୁଅକୁ ଆଘାତ ଲାଗିଛି ବୋଲି ସ୍କୁଲ୍ କର୍ତ୍ତୃପକ୍ଷ କହିଥିଲେ। ଜଣେ ଝିଅ ତାକୁ ଛୁରୀରେ ଆକ୍ରମଣ କରିଥିବା ମଧ୍ୟ ମୋତେ କୁହାଯାଇଥିଲା।”

ତେବେ ଘଟଣା ପରେ ପରେ ସ୍କୁଲ୍‌ର ଅଧ୍ୟକ୍ଷ ଏ ସଂପର୍କରେ ପୋଲିସ୍‌କୁ କୌଣସି ସୂଚନା ଦେଇ ନଥିଲେ। ସେ ଗୋଟିଏ ଦିନ ପୂରା ଘଟଣାକୁ ଲୁଚାଇ ରଖିଥିଲେ। ଘଟଣା ପର ଦିନ ଅର୍ଥାତ ବୁଧବାର ଛାତ୍ରଙ୍କ ବାପା ଏ ସଂପର୍କରେ ପୋଲିସ୍‌କୁ କହିଥିଲେ।

ଛାତ୍ରୀ ଜଣଙ୍କ କାହିଁକି ଏଭଳି କାଣ୍ଡ ଭିଆଇଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ଏହା ‘ବ୍ଲୁ ହ୍ୱେଲ୍‌’ ଗେମ୍‌ର ପ୍ରଭାବ ହୋଇଥାଇପାରେ ବୋଲି ସ୍କୁଲ୍ କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି।

ସ୍କୁଲର ନିର୍ଦ୍ଦେଶକ ବୀଣା ବ୍ୟାସ କହିଛନ୍ତି,“ରିୟାନ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍‌ ମାମଲା ପରେ ଆମେ ସବୁ ପ୍ରକାର ପ୍ରତିକାର ବ୍ୟବସ୍ଥା କରିଛୁ। ଏହି ଘଟଣା ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜର ବି ପରିଣତି ହୋଇଥାଇପାରେ ବୋଲି ଆମେ ଆଶଙ୍କା କରୁଛୁ। ସ୍କୁଲ୍‌ରେ ଲାଗିଥିବା ୭୦ଟି ସିସିଟିଭିର ଫୁଟେଜ୍ ପରୀକ୍ଷା କରାଯାଇଛି।”

ସୂଚନାଯୋଗ୍ୟ, ଗତ ବର୍ଷ ହରିୟାଣାର ରିୟାନ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ରେ ୭ ବର୍ଷର ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ହତ୍ୟା କରାଯାଇଥିଲା। ସ୍କୁଲ୍‌ର ୱାସ୍‌ରୁମ୍‌ରେ ତାଙ୍କୁ ହତ୍ୟା କରାଯାଇଥିଳା। ଏ ଘଟଣାରେ ସେହି ସ୍କୁଲ୍‌ର ଜଣେ ୧୬ ବର୍ଷୀୟ ଛାତ୍ରଙ୍କୁ ଗିରଫ କରାଯାଇଛି। ପରୀକ୍ଷା ବନ୍ଦ କରିବାକୁ ଓ ଅଭିଭାବକ-ଶିକ୍ଷକ ବୈଠକକୁ କୌଣସି ସ୍ଥିତିରେ କରାଇ ନଦେବାକୁ ସେ ଏଭଳି କାଣ୍ଡ ଘଟାଇ ଥିବା କୁହାଯାଇଛି।