ୟୁପିରେ କିଏ ହେବ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: ୟୁପି ରାଜନୀତିରେ ବିଜେପିର ଧମାକାଦାର ବିଜୟ। ଆଜି ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପିକୁ ମିଳିଛି ଅପୂର୍ବ ସଫଳତା। ୪୦୩ ବିଷିଷ୍ଟ ବିଧାନସଭା ଆସନରେ ସଂଯୁକ୍ତ ବିଜେପି ୩୨୩ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ଏକ ନମ୍ବର ଦଳ ଭାବେ ଉଭା ହୋଇଛି। ୫୯ଟି ଆସନ ପାଇ ଦ୍ୱତୀୟ ସ୍ଥାନରେ ଉଭୟ ଏସପି ଓ କଂଗ୍ରେସ(ମେଣ୍ଟ) ଥିବା ବେଳେ ୧୮ଟି ଆସନ ପାଇ ତୃତୀୟ ସ୍ଥାନରେ ବିଏସପି ରହିଛି। ଆଉ ଅନ୍ୟାନ୍ୟ ୩ଟିଆସନ ପାଇଛନ୍ତି।

ତେବେ ଅପ୍ରତ୍ୟାଶିତ ଫଳ ପାଇ ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବିଜେପିର ମୁଖ୍ୟମନ୍ତ୍ରୀ ପଦ ପାଇଁ କିଏ ମଙ୍ଗ ଧରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଚାଲିଛି ତର୍ଜମା ଆଉ ଅଙ୍କକଷା। ତେବେ ଏହି ତାଲିକାରେ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାମ ପ୍ରଥମେ ଆସୁଛି। କେଶବ ପ୍ରସାଦ ଏବେ ବିଜେପିର ଉତ୍ତରପ୍ରଦେଶ ରାଜ୍ୟ ସଭାପତି ଅଛନ୍ତି। । ସହିପରି ସେ ଫୁଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଏମପି ଭାବେ ପ୍ରତିନିଧିତ୍ୱ କରୁଛନ୍ତି। ୪୭ ବର୍ଷୀୟ ଏହି ଯୁବ ନେତା ଜଣକ  ଚଳିତ ନିର୍ବାଚନ ପ୍ରଚାରରେ କୌଣସି ସଭାସମିତିରେ ନଜରରେ ଆସି ନ ଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ରାଜନାଥଙ୍କ ଭଳି ବଡ଼ ବଡ଼ ନେତାଙ୍କ ପ୍ରଚାର ସଭାରେ କେଶବଙ୍କୁ ଦେଖିବାକୁ ମିଳି ନ ଥିଲା। ତଥାପି ସିଏମ ଦୌଡ଼ରେ ସେ ଦାବିଦାର ଅଛନ୍ତି। କୁହାଯାଉଉଛି ଦଳକୁ ତୃଣମୂଳସ୍ତରେ ସୁଦୃଢ କରିବାରେ କେଶବଙ୍କ ମୁଖ୍ୟ ଭୂମିକା ରହିଛି। ସେହିପରି ଅନେକ ଫ୍ୟାକ୍ଟରକୁ ନେଇ କେଶବଙ୍କ ସପକ୍ଷରେ ରହିଛି। ଯାହା ତାଙ୍କ ପଛରେ ଦଳୀୟ ସମର୍ଥନ ମଜଭୁତ ରହିଛି। ଅନ୍ୟ ଏକ କାରଣ ହେଉଛି କେଶବ ପଛୁଆବର୍ଗରୁ ଆସିଛନ୍ତି। ଉତ୍ତରପ୍ରଦେଶ ରାଜନୀତିରୁ କଲ୍ୟାଣ ସିଂ ଦୂରେଇ ଯିବା ପରେ ପଛୁଆବର୍ଗ ନେତା ରୂପେ କେଶବଙ୍କୁ ବିଜେପି ସିଏମ ଭାବେ ପ୍ରୋଜେକ୍ଟ କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ତାଙ୍କ ପରେ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ରରେ  ଥିବା ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ନାମ ଆସୁଛି। ରାଜନାଥ ଶେଷଥର ପାଇଁ ବିଜେପିରୁ ୨୦୦୨ରେ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ। ଏବେ ସେ ଗାଜିଆବାଦରୁ ଏମିପି ଅଛନ୍ତି। ଚଳିତ ବିଧାନ ସଭା ନିର୍ବାଚନ ପରିପ୍ରକ୍ଷୀରେ ରାଜନାଥ ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ସେ ପ୍ରାୟ ୧୨୦ଟି ସଭାରେ ଭୋଟ ପ୍ରଚାର କରିଥିବା ବେଳେ ଅନେକ ରାଲିରେ ସାମିଲ ହୋଇଥିଲେ। ପୂର୍ବରୁ ରାଜନାଥ  ଦୁଇ ଦୁଇଥର ବିଜେପି ରାଷ୍ଟ୍ରୀୟ ସଭାପତି ମଧ୍ୟ ଥିଲେ। ବାଜପେୟୀଙ୍କ ପରେ ଦଳରେ ବରିଷ୍ଠ ନେତା ଲାକ୍ରୀଷ୍ଣା ଆଡ଼ଭାନୀ ଟିକେ ପଛରେ ପଡ଼ିଯାଇଥିବା ବେଳେ ରାଜନାଥ ଆଗଧାଡ଼ିକୁ ଚାଲିଆସିଛନ୍ତି। ତେଣୁ ରାଜନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱ ଦେବା ନେଇ ଦଳ ବିଚାର କରୁଛି। ଅନ୍ୟପକ୍ଷରେ ଯଦି ତାଙ୍କୁ ଏହି ପଦ ପାଇଁ ଆମନ୍ତ୍ରଣ କରାଯାଏ ତେବେ ରାଜନାଥ କେନ୍ଦ୍ରରୁ ଫେରିବେ କି ନାହଁ ତାକୁ ନେଇ ଉଠିଛି ପ୍ରଶ୍ନ ।

ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ ଜଣେ ଦାବିଦାର ହେଲେ ମନୋଜ ସିହ୍ନା।  ଶ୍ରୀ ସିହ୍ନା ଏବେ ଘାଜିପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଏମପି ଅଛନ୍ତି। ନିକଟରେ ତାଙ୍କୁ କେନ୍ଦ୍ରରେ ଟେଲିକମ ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ମନୋଜ  ଅଇଆଇଟି ଏବଂ ବନାରଶ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ  ବିଟେକ ଏବଂ ଏମଟେକ କରିଛନ୍ତି। ସିହ୍ନା ମଧ୍ୟ ଦଳରେ ତୃଣମୂଳସ୍ତରରୁ କାମ କରିଥିବା ଦାବି କରନ୍ତି। ୫୭ ବର୍ଷୀୟ ଏହି ରାଜନେତାଙ୍କ ସାଙ୍ଗଠନିକ ଦକ୍ଷତା ମଧ୍ୟ ମଜଭୁତ ଥିବା କୁହାଯାଉଛି। ଏପରିକି ନିଜ ନିର୍ବାଚନ ମଣ୍ଡଳୀର ସିହ୍ନାଙ୍କର ଖୁବ ଲୋକପ୍ରିୟ ଥିବା ବେଳେ ପୂର୍ବ ଉତ୍ତରପ୍ରଦେଶରେ ତାଙ୍କର ଦବଦବା ରହିଛି। ହେଲେ ୟୁପିରେ ସବୁବେଳେ ଜାତିବାଦକୁ ନେଇ ରାଜନୀତି ହୋଇ ଆସିଛି। ଏପରିସ୍ଥଳେ ମନୋଜ ସିହ୍ନା ଜଣେ ବ୍ରାହ୍ମଣ ହୋଇଥିବାରୁ ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତା ସହଜ ହୋଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ଏହି ତାଲିକାରେ ଆଉ ଜଣକ ନା ଆସୁଛି। ସେ ହେଉଛନ୍ତି ବିବାଦୀୟ ସନ୍ଥ ଯୋଗୀ ଆଦିତ୍ୟନାଥ। ଗୋରଖପୁରରୁ ଏମପି ଥିବା ଆଦିତ୍ୟନାଥ ଜଣେ ଅଗ୍ନିବର୍ଷା ନେତା ଭାବେ ପରିଚିତ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଆଦିତ୍ୟନାଥ ଚର୍ଚ୍ଚାରେ ରହି ଆସିଛନ୍ତି। ଏ ସବୁ କାରଣ ପାଇଁ ଦଳ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛି। ଏପରିକି ଆଦିତ୍ୟନାଥଙ୍କ ପଛରେ ଆରଏସଏସର ଆଶୀର୍ବାଦ ମଧ୍ୟ ରହିଛି। ଶେଷରେ ଆସୁଛି ବରୁଣ ଗାନ୍ଧୀଙ୍କ ନାଁ।  ଚଳିତ ନିର୍ବାଚନ  ପ୍ରଚାର ବେଳେ ଏହି ତରୁଣ ନେତା ଜଣଙ୍କୁ ପୁରା ସାଇଡ କରିଦିଆଯାଇଥିଲେ ମଧ୍ୟ ଦଳରେ ତାଙ୍କର ପଲା ଭାରି ରହିଛି। ସିଏ ଏବେ ସୂଲତାନପୁରରୁ ଏମପି ଅଛନ୍ତି। ନିଜ ନିର୍ବାଚନମଣ୍ଡଳୀ ସହ ସବୁ ଅଞ୍ଚଳରେ ତାଙ୍କର ବିପୁଳ ସମର୍ଥକ ଅଛନ୍ତି। ଗତ କିଛିମାସ ପୂର୍ବେ ତାଙ୍କ ସମର୍ଥକମାନ ଆହ୍ଲାବାଦରେ ବରୁଣଙ୍କ ପୋଷ୍ଟର ଲଗାଇବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି ଜୋର ଧରିଥିଲା। ସେହିପରି ଗାନ୍ଧୀ ପରିବାରର ହୋଇଥିବାରୁ ବିଜେପି ତାଙ୍କୁ ମଧ୍ୟ ନଜରରେ ରଖିଛି। ତେବେ ଦଳ କାହା ଉପରେ ସୁନାକଳସ ଢାଳୁଛି ତାହା ଦେଖିବାକୁ ବାକି ରହିଲା।