୪ ମିନିଟ୍‌ରେ ବୁଡ଼ିଲା ୪ ମହଲା ଜାହାଜ; ୯ ମୃତ, ୨୮ ନିଖୋଜ

କୋଲମ୍ୱିଆ: କୋଲମ୍ୱିଆରେ ଗତକାଲି ଏକ ଟୁରିଷ୍ଟ ଜାହାଜ ସମୁଦ୍ରରେ ବୁଡ଼ି ଯିବାରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୮ ଜଣ ଯାତ୍ରୀଙ୍କ ସନ୍ଧାନ ମିଳି ପାରି ନାହିଁ। ଜାହାଜଟି ମେଡେଲିନ୍‌ଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ବୁଡ଼ି ଯାଇଥିଲା। ନିଖୋଜ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ଜାହାଜଟି ୪ ମହଲା ବିଶିଷ୍ଟ ଥିଲା। ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଜଣେ ମହିଳା କହିଛନ୍ତି,“ଯେଉଁମାନେ ପ୍ରଥମ ଓ ଦ୍ୱିତୀୟ ମହଲାରେ ବସିଥିଲେ ସେମାନେ ସଂପୂର୍ଣ୍ଣ ଭାବେ ବୁଡ଼ି ଯାଇଛନ୍ତି। ଉପର ମହଲାରେ ବସିଥିବା କିଛି ଲୋକ ଏହି ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଯାଇଛନ୍ତି।”

୪ ମିନିଟ୍ ମଧ୍ୟରେ ଜାହାଜଟି ବୁଡ଼ି ଯାଇଥିବା କୁହାଯାଉଛି। ସମସ୍ତ ଯାତ୍ରୀ ଛୁଟି ପାଳନ କରିବାକୁ ଆସିଥିଲେ।

ଜାହାଜରେ ପ୍ରାୟ ୧୭୦ ଜଣ ଲୋକ ବସିଥିଲେ ବୋଲି କୁହାଯାଉଛି। ଜାହାଜଟି ବୁଡ଼ିବା ପରେ ପ୍ରାୟ ୧୦୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪୦ ଜଣ ନିଜ ଉଦ୍ୟମରେ କୂଳରେ ଆସି ଲାଗିଥିଲେ। ଅନ୍ୟମାନଙ୍କର ପତ୍ତା ମିଳୁନି।