ଜାତି ହେବାକୁ ବୁଡ଼ ପକାଇଲେ ସେନା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ସେନାରେ ନା ଅଛି ଧର୍ମ ନା ଅଛି ଜାତି। ସମସ୍ତ ସୈନିକ ଜଣେ ଜଣେ ଭାରତୀୟ। ଏପରି ମନ୍ତବ୍ୟ ରଖିଛନ୍ତି କର୍ଣ୍ଣଲ ସୌରଭ ସିଂହ ସେଖାୱତ। ପାରାଚ୍ୟୁଟ୍  ରେଜିମେଣ୍ଟର ୨୧ ବାଟାଲିୟନରେ ମୁତୟନ କର୍ଣ୍ଣେଲ ସୌରଭଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାରତୀୟ ସେନା କ୍ୟାମ୍ପରେ କିପରି ଯବାନଙ୍କୁ ଟ୍ରେନିଂ ଦିଆଯାଏ, ସେ ନେଇ କର୍ଣ୍ଣେଲ ସୂଚନା ଦେଉଥିବା ଭିଡିଓରେ ରହିଛି। ଭାରତୀୟ ସେନାରେ ଭର୍ତ୍ତି ହେବା ପରେ ନିଜ ଅଭିଜ୍ଞତାକୁ ବାଣ୍ଟିଛନ୍ତି କର୍ଣ୍ଣେଲ ସୌରଭ। ନିଜ ଜାତି ସମ୍ପର୍କରେ ସୂଚନା ଦେବା ପରେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କ ସହ କିପରି ବ୍ୟବହାର କରିଥିଲେ ସେ ନେଇ ଭିଡ଼ିଓରେ ଦର୍ଶାଇଛନ୍ତି କର୍ଣ୍ଣେଲ ସୌରଭ। ସମାଜରେ ଜାତି ଏବଂ ଧର୍ମକୁ ନେଇ ବଢ଼ୁଥିବା ବିବାଦର ସାମାଧାନ ହେବା ଜରୁରୀ। ସମସ୍ତ ନାଗରିକ ଯଦି ଯବାନଙ୍କ ଭଳି ମନପୋଷଣ କରିବେ ତେବେ ଏହା ଖୁବ୍ ସହଜ ହେବ ବୋଲି ସେ କହିଛନ୍ତି। କର୍ଣ୍ଣଲଙ୍କ ଏହି ଭିଡିଓକୁ ଜଣେ ପୂର୍ବତନ ଭାରତୀୟ ସେନା ଅଧିକାରୀ ରଘୁ ରମନ୍ ଟ୍ୱିଟରେ ସେୟାର କରିଥିଲେ। ଯାହା ଏବେ ଭାଇରାଲ ହୋଇଛି।

ଭିଡ଼ିଓ ଅନୁସାରେ ସୌରଭଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀ ଜାତି ସମ୍ପର୍କରେ  ପଚାରିଥିଲେ। ସୌରଭ ତାଙ୍କ ଜାତି କହିବା ପରେ ଅଳିଆ ପାଣିଥିବା ଏକ କୁଣ୍ଡରେ  ବୁଡ଼ ପକାଇବାକୁ ତାଙ୍କ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସୌରଭ ଯେତେବେଳେ ମଇଳା କୁଣ୍ଡରେ ବୁଡ଼ ପକାଇ ଉଠିଥିଲେ, ତାଙ୍କ ଅଧିକାରୀ ପୁଣି ଥରେ ତାଙ୍କ ଜାତି କ’ଣ ପଚାରିଥିଲେ। ଏଥର କିନ୍ତୁ ସୌରଭ କହିଥିଲେ ତାଙ୍କ ଜାତି ପାରାଚ୍ୟୁଟ୍  ରେଜିମେଣ୍ଟର ୨୧ ବାଟାଲିୟନ।