‘୬୦ ବର୍ଷ ପରେ କଂଗ୍ରେସର ‘ନ୍ୟାୟ’ ମନେପଡ଼ିଲା’

ଚେନ୍ନାଇ: କଂଗ୍ରେସର ‘ନ୍ୟାୟ’ ଯୋଜନାକୁ ନେଇ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି,“ଦେଶବାସୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ଏବେ ମନେ ପଡ଼ିଛି। ୬୦ ବର୍ଷ ପୂର୍ବରୁ କାହିଁକି ଦେଶବାସୀଙ୍କ ଉପରେ ‘ଅନ୍ୟାୟ’ କରୁଥିଲା?”

ତାମିଲନାଡୁରେ ଗତକାଲି ଏକ ନିର୍ବାଚନୀ ସଭାରେ ମୋଦି କହିଥିଲେ,“୧୯୮୪ ମସିହା ଶିଖ୍ ଦଙ୍ଗା ମାମଲାରେ କଂଗ୍ରେସ ସରକାର ନ୍ୟାୟ ଦେଇଥିଲା କି? ତାମିଲନାଡ଼ୁରେ ଗୋଟିଏ ପରିବାର ପାଇଁ ଏମ୍‌.ଜି ରାମଚନ୍ଦ୍ରନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ କଂଗ୍ରେସ ନ୍ୟାୟ କରିଥିଲା କି? ଭୋପାଳ ଗ୍ୟାସ୍‌ ଟ୍ରାଜେଡି ଘଟଣାରେ ନ୍ୟାୟ ମିଳିଛି କି?”

ଏହି ସବୁ ପ୍ରଶ୍ନବାଣ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ଭଳି ତା’ର ସହଯୋଗୀ ଡିଏମ୍‌କେ ମଧ୍ୟ ପରିବାରକୁ ଆଗ ଓ ରାଜ୍ୟକୁ ପଛରେ ଦେଖୁଛି।

ସୂଚନାଯୋଗ୍ୟ କଂଗ୍ରେସ ଚଳିତ ନିର୍ବାଚନ ପାଇଁ ଯେଉଁ ଇସ୍ତାହାର ଘୋଷଣା କରିଛି, ତାର ନାଁ ରହିଛି ‘ନ୍ୟାୟ’। ଏଥିରେ କଂଗ୍ରେସ ଦେଶରେ ୨୦ ପ୍ରତିଶତ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କାର ସହାୟତା ଦେବା ପାଇଁ ଘୋଷଣା କରିଛି। ଏଥିସହ ନ୍ୟାୟ ନାମରେ କଂଗ୍ରେସ ଏକ ବିଜ୍ଞାପନ ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ଛାଡ଼ିଛି। ସେଥିରେ ଚଳିତ ସରକାରରେ ଲୋକଙ୍କ ପ୍ରତି ଅନ୍ୟାୟ ହୋଇଥିବା ଦର୍ଶାଇଛି। ତାଙ୍କ ଦଳ ସରକାରକୁ ଆସିଲେ ନ୍ୟାୟ ଦେବ ବୋଲି କଂଗ୍ରେସ କହିଛି।