ସୋନଭଦ୍ରା ପୀଡ଼ିତଙ୍କୁ ଆର୍ଥିକ ସହାୟତା ଦେଲା କଂଗ୍ରେସ

ସୋନଭଦ୍ରା, ୟୁପି: ଗତ ଜୁଲାଇ ୧୭ରେ ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲାର ଉଭା ଗାଁରେ ଜମି ବିବାଦକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମୃତାହତଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦେଇଛି କଂଗ୍ରେସ। କଂଗ୍ରେସର ଏକ ପ୍ରତିନିଧି ଦଳ ଆସି ଗତକାଲି ପୀଡ଼ିତଙ୍କୁ ଆର୍ଥିକ ସହାୟତା ଦେଇଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ୱିଟ୍ କରି କହିଛନ୍ତି, ସୋନଭଦ୍ରା ଗୁଳିକାଣ୍ଡ ଘଟଣା ପରେ ପୀଡ଼ିତଙ୍କ ପରିବାରର ଦାବିକୁ ସେ ଶୁଣିଛନ୍ତି। କିନ୍ତୁ ସେମାନେ ହୃଦବୋଧ କରିବା ଦରକାର ଯେ ସେମାନେ ଏକୁଟିଆ ନୁହନ୍ତି, ଲୋକମାନେ ମଧ୍ୟ ତାଙ୍କ ପୀଡ଼ାରେ ସାମିଲ୍ ହୋଇଛନ୍ତି।

ସୂଚନାଯୋଗ୍ୟ, ଉଭା ଗାଁର ମୁଖିଆ ଯୋଗ୍ୟ ଦତ୍ତ ଓ ସ୍ଥାନୀୟ ଆଦିବାସୀ ଲୋକଙ୍କ ମଧ୍ୟରେ ୩୬ ଏକର ଜମିକୁ ନେଇ ପୁରୁଣା ବିବାଦ ରହିଥିଲା। ଜୁଲାଇ ୧୭ରେ ସେହି ବିବାଦକୁ କେନ୍ଦ୍ର କରି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଜମି ମାଲିକଙ୍କ ସମର୍ଥକ ମାନେ ସ୍ଥାନୀୟ ଆଦିବାସୀଙ୍କ ଉପରକୁ ଆଖି ବୁଜା ଗୁଳି ଚଳାଇଥିଲେ। ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ।

ଏହାପରେ ପ୍ରିୟଙ୍କା ପୀଡ଼ିତଙ୍କ ପରିବାରଙ୍କୁ ଦେଖା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଉଭା ଗାଁରେ ୧୪୪ ଧାରା ଜାରି ରହିଥିବାରୁ ୟୁପି ପୁଲିସ ତାଙ୍କୁ ଛାଡ଼ିନଥିଲା। ଏହାପରେ ମୀର୍ଜାପୁରର ଏକ ଗେଷ୍ଟ ହାଉସରେ ପୀଡ଼ିତଙ୍କ ପରିବାରକୁ ଭେଟିଥିଲେ ପ୍ରିୟଙ୍କା। ଏହାପରେ କଂଗ୍ରେସ ଦଳ ପକ୍ଷରୁ ପୀଡ଼ିତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

ଜୁଲାଇ ୨୧ ତାରିଖରେ ୟୁପି ସରକାର ମଧ୍ୟ ମୃତକଙ୍କ ପରିବାରକୁ ୧୮ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦେଇଥିଲେ।