ହସକୁ ନେଇ ରାଜନୀତି: ରେଣୁକା ଆଣିଲେ ସ୍ୱାଧିକାର ଭଙ୍ଗ ନୋଟିସ୍

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ।  ତାଙ୍କର ହସକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କଟାକ୍ଷ କରିବା ପରେ ଫେସବୁକ୍‌ର ଏକ ଭିଡିଓ କ୍ଲିପ୍‌କୁ ସେୟାର୍ କରିଥିଲେ କିରଣ ରିଜିଜୁ।  ସେହି ଭିଡିଓରେ ରାମାୟଣର ଚରିତ୍ର ସୂର୍ପଣଖା ଜୋରରେ ହସୁଥିବାରୁ ଭିଜୁଆଲ୍ ରହିଛି।  ସେହି କ୍ଲିପ୍‌ର ଶେଷ ଆଡ଼କୁ ରେଣୁକା ଚୌଧୁରୀ ହସୁଥିବାର ଦେଖାଯାଇଛି।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଜୋର୍‌ରେ ହସିଥିଲେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ।  ଏହାପରେ ମୋଦି କଟାକ୍ଷ କରି କହିଥିଲେ ଯେ ରାମାୟଣ ପରେ ପ୍ରଥମ ଥର ଏପରି ହସ ଶୁଣିବାକୁ ମିଳୁଛି । ଏହା ପରେ ସୋସିଏଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଅନେକ ମିମ୍।  ସୂର୍ପଣଖାଙ୍କ ସହିତ ରେଣୁକା ଚୌଧୁରୀଙ୍କ ହସକୁ ତୁଳନା କରାଯାଇଥିବା କୁହାଯାଇଛି।  ସେହିପରି ଏକ ଭିଡିଓକୁ ଫେସ୍‌ବୁକରେ ସେୟାର କରିଥିଲେ କିରଣ ରିଜିଜୁ।  ମୋଦିଙ୍କ କଟାକ୍ଷ ଓ କିରଣଙ୍କ ପୋଷ୍ଟକୁ କଂଗ୍ରେସ ଦୃଢ଼ ବିରୋଧ କରିଛି।