‘ଏହି ବିଜେପି ବିଧାୟକଙ୍କ ଜିଭ କାଟିଲେ ମିଳିବ ୫ ଲକ୍ଷ’

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସୁବୋଧ ସାଓଜି ଗୁରୁବାର ଦେଇଥିବା ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ଯେଉଁ ବ୍ୟକ୍ତି ବିଜେପି ବିଧାୟକ ରାମ୍‌ କଦମ୍‌ଙ୍କ ‘ଜିଭ କାଟି ଦେବେ’ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।

ସୋମବାର ଦିନ ମୁମ୍ୱାଇର ଘଟକୋପର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାମ୍‌ କଦମ୍‌ ଏକ ‘ଦହି ହାଣ୍ଡି’ ସମାରୋହରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇଥିଲେ।

RamKadam
ରାମ୍ କଦମ୍

ସେ କହିଥିଲେ,“ଯେକୌଣସି କାମ ଥିଲେ ଯୁବକମାନେ ମୋତେ ଭେଟି ପାରିବେ। ଯଦି କୌଣସି ଝିଅଙ୍କୁ କୌଣସି ଯୁବକ ପସନ୍ଦ କରୁଥିବେ ଓ ସେହି ଝିଅ ତାଙ୍କୁ ବାହା ହେବା ପାଇଁ ରାଜି ନ ହୁଏ, ତା’ହେଲେ ତାଙ୍କୁ ଉଠାଇ ଆଣିବାରେ ମୁଁ ସାହାଯ୍ୟ କରିବି।”

ଏହା ପରେ ଶିବସେନା ସହିତ ଅନ୍ୟ ଦଳଗୁଡ଼ିକ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ।

କଂଗ୍ରେସ ନେତା ସୁବୋଧ ସାଓଜି ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଥିଲେ, ଯେଉଁ ବ୍ୟକ୍ତି ରାମ୍ କଦମ୍‌ଙ୍କ ଜିଭ କାଟି ଆଣିବେ, ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ।

ଅନ୍ୟପକ୍ଷରେ ରାମ୍ କଦମ୍ କହିଛନ୍ତି,“ମୋ ବୟାନକୁ ବିକୃତ କରାଯାଇଛି।”