ମହଙ୍ଗା ପଡ଼ିଲା ରାହୁଲଙ୍କୁ ‘ପପୁ’ ସମ୍ବୋଧନ: ତଳିତଳାନ୍ତ କଂଗ୍ରେସ ନେତା

ଲକ୍ଷ୍ନୌ: ବିରୋଧୀ ନେତାଏ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଟିକିଏ କଟା‍କ୍ଷ୍ୟ କରିବାକୁ ଚାହିଁଲେ, କେହିକେହି ତାଙ୍କୁ ‘ପପୁ’ ବୋଲି ସମ୍ବୋଧନ କରି ମନ୍ତବ୍ୟ ଦେଇଥାନ୍ତି। ଏହାକୁ ରାଜନୀତିର କଥା କଟାକଟିର ଗୋଟେ ଧାରା ବୋଲି ସମସ୍ତେ ଧରି ନେଇଥାନ୍ତି, ଫଳରେ ଅଧିକ ପ୍ରତିକ୍ରିୟାଶୀଳ ହେବା ଦେଖାଯାଏନା।

କିନ୍ତୁ ରାହୁଳଙ୍କୁ ପପୁ ସମ୍ବୋଧନ କରି ହଟହଟା ହୋଇଛନ୍ତି ଜଣେ କଂଗ୍ରେସ ନେତା। ହଟହଟା ନୁହେଁ ତ, ରାଜନୈତିକ ତଳିତଳାନ୍ତ ବୋଲି ଭାବନ୍ତୁ। ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ। ସେଠାକାର ଜଣେ କଂଗ୍ରେସ ନେତା ରାହୁଲଙ୍କୁ ପପୁ ବୋଲି କହି ହ୍ୱାଟ୍ସଆପ୍‌ରେ ମେସେଜ୍ କରିଥିଲେ। ଉଦ୍ଦେଶ୍ୟ କିଛି ମନ୍ଦ ନ ଥିଲା। କିନ୍ତୁ ମେସେଜ୍‌ଟି ଭାଇରାଲ ହେବାପରେ ଏହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ତାଙ୍କୁ ଦଳର ସବୁ ପଦ ପଦବୀରୁ ହଟାଇ ଦିଆଯିବା ସହ ନିଲମ୍ବନ କରାଯାଇଛି। ନେତା ଜଣଙ୍କ ହେଲେ ମିରଠ୍ କଂଗ୍ରେସର ଜିଲ୍ଲା ଅଧ୍ୟକ୍ଷ ବିନୟ ପ୍ରଧାନ।

ହ୍ୱାଟ୍ସଆପ୍‌ରେ ବିନୟ ରାହୁଲଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ସମର୍ଥନ ଦେବାକୁ ଅପିଲ କରିଥିଲେ। ଏଥିରେ ସେ ରାହୁଲଙ୍କୁ ପପୁ ବୋଲି ସମ୍ବୋଧନ କହିଥିଲେ। ଥରେ ନୁହେଁ କି ଦୁଇ ଥର ନୁହେଁ। ଏହି ମେସେଜ୍‌ରେ ସେ ପପୁ ଶବ୍ଦ ଏକାଧିକ ବାର ବ୍ୟବହାର କରିଥିଲେ। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜବବ୍ବର ଏହା ଜାଣିବା ପରେ, ତାଙ୍କୁ ସଙ୍ଗେସଙ୍ଗେ ଦଳର ସମସ୍ତ ପଦରୁ ହଟାଇବା ସହ ପାର୍ଟିରୁ ନିଲମ୍ବନ କରିଦେଲେ। କୁହାଯାଉଛି, ଏପରି କାଣ୍ଡ କରିଥିବା ବିୟନ ବିଜେପିରେ ମିଶିବାକୁ ଚାହୁଁଥିବାରୁ ଏପରି କାଣ୍ଡ କରିଛନ୍ତି। ଦେଖନ୍ତୁ କ’ଣ ଥିଲା ତାଙ୍କ ହ୍ୱାଟ୍ସଆପ୍ ମେସେଜ୍‌ରେ।

କ’ଣ ଥିଲା ବିନୟଙ୍କ ମେସେଜ୍

୧.  ରାହୁଲ ଗାନ୍ଧି, ଯାହାଙ୍କୁ ଦେଶର କିଛି ଅଂଶ ପପୁ ନାମରେ ଜାଣିଛି।

୨. ଆଜି ଆପଣ କୁହନ୍ତୁ, କ’ଣ ପପୁ କେବେ ବଡ ଗାଡିର ସଉକ କରିଛନ୍ତି ? ସେ ଏପରି ସଉକ କରିପାରିଥାନ୍ତେ।

୩. କେବେ ଅମ୍ବାନୀ, ଆଦାନୀ, ମାଲ୍ୟାଙ୍କ ପାର୍ଟିରେ ସାମିଲ ହୋଇ ନାହାନ୍ତି, ହେଲେ ସେ ସାମିଲ ହୋଇ ପାରିଥାନ୍ତେ।

୪. ପପୁ କେବେ ନିଜକୁ ବିଳାସପୂର୍ଣ୍ଣ ଜୀବନ ଶୈଳୀରେ ରହୁଥିବା ଦେଖାଇଛନ୍ତି ? ହେଲେ ସେ ବିଳାସପୂର୍ଣ୍ଣ ଜୀବନ ବିତାଇ ପାରିବେ।

୫. ପପୁ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ, ହେଲେ ବନିଲେ ନାହିଁ। ସେ ପ୍ରଧାନମନ୍ତ୍ରୀ ହେବା ନେଇ ମନମୋହନ ସିଂ ମଧ୍ୟ ଇସାରା ଦେଇସାରିଥିଲେ।

୬. ପପୁକୁ ପୂରା ଦଶବର୍ଷ ଅମ୍ବାନୀ ଓ ଆଦାନୀ ଦେଖା କରିବାକୁ ଚାହୁଁଥିଲେ।

୭. ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାର ଥିଲା। ପପୁର ଗୋଟେ ଇସାରରେ ମନ୍ତ୍ରୀ ତାଙ୍କ କାମ କରିପାରିଥାନ୍ତେ। କିନ୍ତୁ ପପୁ ଅମ୍ବାନୀ ଓ ଆଦାନୀଙ୍କୁ ୫ ମିନିଟ୍ ବି ସମୟ ଦେଲେନାହିଁ।

୮. କାରଣ ସେ ପପୁ ଥିଲେ। ସେ ଜାଣିଥିଲେ ଏମାନେ ସରକାରଙ୍କ ସହ କେବଳ ବେପାର କରିବେ। ଗରିବଙ୍କ ରକ୍ତ ଶୋଷିବେ। ସେ ଅନର୍ଗଳ କହି ନପାରି ଅଟକିଥାନ୍ତି। ଏଥିପାଇଁ ସଂଘ ତାଙ୍କୁ ପପୁ ବନାଇବା ମିଶନରେ ଲାଗିପଡିଲା। କିନ୍ତୁ ହିନ୍ଦିରେ ଅନର୍ଗଳ ଭାଷଣ ଦେଇ ମିଛ କହିବା ଅପେକ୍ଷା ନ୍ୟାୟରେ ଜନତାଙ୍କ ପାଇଁ ସଂଘର୍ଷ କରିବା ଭଲ।