ବିଜେପି ବିଧାୟକଙ୍କୁ ‘ବନ୍ଧୁ’ କହିଲା କଂଗ୍ରେସ, ଡିନର୍ ବି ଖୁଆଇଲା

ଚେନ୍ନାଇ: କର୍ଣ୍ଣାଟକାରେ ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ଭାଗ୍ୟ ଏବେ ସୁତାଖିଅରେ ଝୁଲୁଛି। ସରକାରଙ୍କୁ ଭୁଶୁଡ଼ାଇ ନିଜେ କ୍ଷମତା ଉପଭୋଗ କରିବାକୁ ବିଜେପି ଚାହୁଁଥିବା କଂଗ୍ରେସ ଓ ଜେଡିଏସ୍‌ ନେତାମାନେ କହୁଛନ୍ତି। ହେଲେ ଏସବୁ ଭିତରେ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ଥିବା ବନ୍ଧୁତା ସାମ୍ନାକୁ ଆସିଛି।

ଗତକାଲି ଦିନ ତମାମ ଆସ୍ଥା ଭୋଟ ଦାବିକୁ ନେଇ କର୍ଣ୍ଣାଟକା ବିଧାନସଭାରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ବାଚସ୍ପତି ଆସ୍ଥା ଭୋଟ କରି ନଥିଲେ। ଏହାକୁ ବିରୋଧ କରି ବିଜେପି ବିଧାୟକମାନେ ବିଧାନସଭା ମଧ୍ୟରେ ହିଁ ଶୋଇଥିଲେ। ତେବେ ବିଜେପି ବିଧାୟକମାନଙ୍କ ବିଧାନସଭାରେ ରାତ୍ରୀ ଯାପନ ପାଇଁ କଂଗ୍ରେସ ସବୁ ପ୍ରକାରର ବ୍ୟବସ୍ଥା କରିଥିଲା।

ବିଜେପି ବିଧାୟକମାନଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରି କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ସମସ୍ତଙ୍କ ପାଇଁ ରାତ୍ରି ଭୋଜନର ବ୍ୟବସ୍ଥା କରିଥିଲେ। ବିଧାୟକମାନେ ମଧ୍ୟ ଏହାକୁ ଖାଇ ବିଧାନସଭା ଭିତରେ ରାତ୍ରୀ ଯାପନ କରିଥିଲେ।

ପରମେଶ୍ୱର କହିଛନ୍ତି, “ବିଜେପି ବିଧାୟକମାନଙ୍କ କଥା ବୁଝିବା ଆମ କର୍ତ୍ତବ୍ୟ। ଅଧିକାଂଶ ବିଜେପି ବିଧାୟକଙ୍କ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି। ତେଣୁ ଆମେ ସେମାନଙ୍କ ଭୋଜନ ପାଇଁ ସବୁ ପ୍ରକାରର ବ୍ୟବସ୍ଥା ବିଧାନସଭା ମଧ୍ୟରେ କରିଥିଲୁ। ରାଜନୀତିକୁ ବାଦ୍ ଦେଲେ ଆମେମାନେ ପରସ୍ପରର ଭଲ ବନ୍ଧୁ। ଏହା ହିଁ ହେଉଛି ଗଣତନ୍ତ୍ରର ସୁନ୍ଦରତା।”