‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ବୈଠକକୁ ବୟକଟ୍ କଲେ କଂଗ୍ରେସ, ଟିଏମସି ଓ ଟିଡିପି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବେ। ଏହି ବୈଠକରେ ପ୍ରତି ଦଳର ସଭାପତି ଯୋଗ ଦେବେ। ନଚେତ୍‌ ତାଙ୍କ ପ୍ରତିନିଧି ପଠାଇ ପାରିବେ।

ଓଡ଼ିଶାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ବୈଠକରେ କିନ୍ତୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି ଭାଗ ନେଇ ନାହାନ୍ତି। ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ୍ ଯୋଗ ଦେଇନଥିଲେ ମଧ୍ୟ ତାଙ୍କ ପ୍ରତିବଦଳରେ ଦଳର ଅନ୍ୟ ଜଣେ ନେତା ଯୋଗ ଦେବେ ବୋଲି ସୂଚନା ରହିଛି। ଟିଆରଏସ ଅଧ୍ୟକ୍ଷ କେସିଆରଙ୍କ ବଦଳରେ ତାଙ୍କ ପୁଅ କେଟିଆର ତଥା ଟିଆରଏସର କାର୍ଯ୍ୟକାରୀ ସଭାପତି ଯୋଗ ଦେବେ ବୋଲି ଜଣାପଡ଼ିଛି।

ମୋଦି-୧ ସରକାର କ୍ଷମତାକୁ ଆସିବା ଦିନଠାରୁ ହିଁ ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ହେଲେ ଏହାକୁ ଏକାଧିକ ବିରୋଧୀଦଳ ଅଗ୍ରାହ୍ୟ କରି ଆସୁଛନ୍ତି। ଏଣୁ ଏହି ପ୍ରସ୍ତାବ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିବା ଲାଗି ମୋଦି-୨ ସରକାର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି।