ସୋନ୍‌ଭଦ୍ରା ଗୁଳିକାଣ୍ଡ: ଦେଶବ୍ୟାପୀ ବିରୋଧ କରିବ କଂଗ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସୋନ୍‌ଭଦ୍ରା ଅଞ୍ଚଳରେ ଏକ ପୁରୁଣା ଜମି ବିବାଦରୁ ଗୁଳିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ରାଜନୀତିକ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ଆଜି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କୁ ଘଟଣାସ୍ଥଳକୁ ଯିବାକୁ ନ ଦିଆଯିବା ଏବଂ ‘ଗିରଫ’ କରାଯିବା ପରେ କଂଗ୍ରେସ ଏ ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ୍‌ କରିବାକୁ ଯୋଜନା କରିଛି।

କଂଗ୍ରେସ ନେତା କେସି ଭେନୁଗୋପାଲ କହିଛନ୍ତି, ପ୍ରିୟଙ୍କାଙ୍କ ଗିରଫଦାରୀ ବିରୋଧରେ କଂଗ୍ରେସ କର୍ମୀ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେ କହିଥିଲେ, ଯୋଗୀ ସରକାର ଏହାର ବିଫଳତାକୁ ଲୁଚାଇବାକୁ ଚାହୁଁଛି। ଏହି ଗିରଫଦାରୀ ସରକାରଙ୍କ ଆକ୍ରୋଶପୂର୍ଣ୍ଣ ମନୋଭାବକୁ ଦର୍ଶାଉଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ବଦଳରେ ସରକାର ବିରୋଧୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରି ଉତ୍ତରପ୍ରଦେଶ ସରକାର ୧୦ ଜଣ ନିରୀହ ଆଦିବାସୀଙ୍କ ହତ୍ୟାକୁ ଘୋଡ଼ାଇବାକୁ ଚାହୁଁଛନ୍ତି।