କ୍ଷମତାକୁ ଆସିଲେ ମନରେଗା ୩.୦ ଆରମ୍ଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଫେସବୁକ ପୋଷ୍ଟ ଜରିଆରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସଂକ୍ରାନ୍ତରେ ଟିପ୍ପଣୀ ଦେଇଛନ୍ତି।

ସେ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ମନରେଗା ୩.୦ ଆରମ୍ଭ ହେବ। ଏହି ଯୋଜନା ଜରିଆରେ ପାଣି ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯିବ। ଦେଶରେ ପାଣିର ଅଭାବ ଦେଖାଦେଇଥିବା ବେଳେ କିଛି ସ୍ଥାନରେ ଭୂତଳ ଜଳର ଅଭାବ ପରିଲିକ୍ଷିତ ହୋଇଥିବା ରାହୁଲ ଗାନ୍ଧି ସୋଶାଲ ମିଡ଼ିଆ ଫେସବୁକରେ ଉଲ୍ଲେଖ କରିଛନ୍ତି।

ଏଥିସହ କଂଗ୍ରେସ ଇସ୍ତାହାରରେ ଜାରି କରିଥିବା ପ୍ରତିଶୃତିକୁ ଦୋହରାଇ କହିଛନ୍ତି କ୍ଷମତାକୁ ଆସିଲେ ମନରେଗା ଯୋଜନା ଜରିଆରେ ୧୫୦ ଦିନର କର୍ମ ନିଯୁକ୍ତି ଶ୍ରମିକଙ୍କୁ ଦିଆଯିବ। ସୂଚନାଯୋଗ୍ୟ, ୟୁପିଏ ସରକାର ସମୟରେ ମନରେଗା ଯୋଜନା ଆରମ୍ଭ ହୋଇଥିଲା।