ମୁଖିଆ ବିହୀନ କଂଗ୍ରେସରେ ନିଯୁକ୍ତ ହେବେ ଅନ୍ତରୀଣ ମୁଖ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ଓ ଏହାପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ଦେଶର ସର୍ବପୁରାତନ ଦଳ ଏବେ ମୁଖିଆ ବିହୀନ ହୋଇ ପଡ଼ିରହିଛି।

ତେବେ ଚଳିତ ସପ୍ତାହରେ ହିଁ ମୁଖିଆ ବିହୀନ କଂଗ୍ରେସ ଏକ ଅନ୍ତରୀଣ ମୁଖ୍ୟଙ୍କ ନାଁ ଘୋଷଣା କରିବ। ଦଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଅନ୍ତରୀଣ ମୁଖ୍ୟ ସମସ୍ତ ଦାୟିତ୍ୱ ନିର୍ବାହ କରିବେ। ଏ ସମ୍ପର୍କରେ ଆଜି ସଂସଦ ଭବନରେ କଂଗ୍ରେସର ନେତାମାନଙ୍କର ଏକ ବୈଠକରେ ଏକଥା ସ୍ଥିର ହୋଇଥିବା ଜଣାପଡ଼ିଛି।

ଅନ୍ତରୀଣ ମୁଖ୍ୟ ଦୌଡ଼ରେ ସଚିବ ପାଇଲଟ୍‌, ଅଶୋକ ଗେହଲଟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁଶିଲ କୁମାର ସିନ୍ଧେ ଓ କେସି ଭେନୁଗୋପାଲ ପ୍ରମୁଖ ରହିଥିବା କୁହାଯାଉଛି ।

ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗତକାଲି ପୁଣିଥରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ। ସିଡବ୍ଲ୍ୟୁସି ତୁରନ୍ତ ଏହା ଉପରେ ନିଷ୍ପତ୍ତି ନେବା ଦରକାର ବୋଲି କହିଥିଲେ। ଏଥିସହ ଗାନ୍ଧି ପରିବାରରୁ କେହି ବି ପରବର୍ତ୍ତୀ ଅଧ୍ୟକ୍ଷ ହେବେ ନାହିଁ ବୋଲି ରାହୁଲ ପୁଣିଥରେ ଦଳୀୟ ନେତାଙ୍କୁ ଜଣାଇ ଦେଇଥିଲେ। ଫଳରେ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଏହି ଦୌଡ଼ରେ ନଥିବା ସ୍ପଷ୍ଟ ହୋଇଛି।

ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, “ସ୍ଥାୟୀ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପୂର୍ବରୁ ଜଣଙ୍କୁ ଅନ୍ତରୀଣ ମୁଖ୍ୟ ଭାବେ କଂଗ୍ରେସ ପକ୍ଷରୁ ନିଯୁକ୍ତି ଦିଆଯିବ। ଚଳିତ ସପ୍ତାହରେ ହିଁ ଅନ୍ତରୀଣ ମୁଖ୍ୟଙ୍କ ନାଁ ଘୋଷଣା କରାଯିବ। ଏହାପରେ ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ଅଧ୍ୟକ୍ଷ ପଦ ପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।”