କଂଗ୍ରେସ କରିବ ଜନ ଆକ୍ରୋଶ ରାଲି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଜି କଂଗ୍ରେସର ଜନ ଆକ୍ରୋଶ ରାଲି। ଏହି ଅବସରରେ ରାମଲୀଳା ମୈଦାନରେ ଜନ ସାଧାରଣଙ୍କୁ ସମ୍ବୋଧିତ କରିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି-“ବିକାଶକୁ ଗୁରୁତ୍ୱ ନ ଦେଇ କେନ୍ଦ୍ର ସରକାର ବିଭାଜନକାରୀ ରାଜନୀତି କରୁଛି। ମୋଦି ସରକାରକୁ ୪ ବର୍ଷ ପୂରଣ ହେବାକୁ ବସିଲାଣି। କିନ୍ତୁ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିନାହିଁ। ମହିଳା ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁନାହିଁ। ଦଳିତ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସେମାନଙ୍କର ଅଧିକାର ମିଳିନାହିଁ। ଏସବୁକୁ ନେଇ ଲୋକଙ୍କ ମନରେ ଜମି ରହିଛି ଗଭୀର କ୍ଷୋଭ। ଏହି କ୍ଷୋଭ ବା ଆକ୍ରୋଶକୁ ରାମଲୀଳା ମୈଦାନରେ ପରିପ୍ରକାଶ କରିବା ପାଇଁ ଜନ ଆକ୍ରୋଶରେ ସାମିଲ ହେବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛୁ।”

ମେ ୧୨ରେ ହେବାକୁ ଥିବା କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ରାଲିକୁ ଗୁରୁତ୍ୱ ମନେ କରାଯାଉଛି। ଏଥିସହ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ରାହୁଲ ପ୍ରଥମ ଥର ପାଇଁ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ରାଲିକୁ ସମ୍ବୋଧିତ କରିବାକୁ ଯାଉଛନ୍ତି।