ମୋଦି ସରକାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି କେଜ୍ରିୱାଲ୍: ଶିବସେନା

ମୁମ୍ବାଇ: ମେଣ୍ଟରେ ଥାଇ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିଜେପିର ଗୋଡ଼ ଟାଣୁଥିବା ଶିବସେନା ଡିଡିସିଏ (ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍) ପ୍ରସଙ୍ଗରେ କିନ୍ତୁ ମୋଦି ସରକାରଙ୍କ ସମର୍ଥନରେ ସ୍ୱର ଉଠାଇଛି। ଡିଡିସିଏ ଦୁର୍ନୀତି କଥା ଉଠାଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଘେରି ଥିବା ଆପ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୀବ୍ର ସମାଲୋଚନା କରିଛି ଶିବସେନା। ଦଳ ଏହାର ମୁଖପତ୍ର ‘ସାମନା’ରେ କହିଛି ଯେ ମୋଦି ସରକାରକୁ ବଦନାମ କରିବା ପାଇଁ ଆପ୍ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଛନ୍ତି। କେଜ୍ରିୱାଲ୍ ଡିଡିସିଏ ଦୁର୍ନୀତି ପ୍ରସଙ୍ଗ ଉଠାଇବା ଓ ପରେ ବିଜେପି ସାଂସଦ କୀର୍ତ୍ତି ଆଜାଦ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୋଧରେ କହି ତାଙ୍କୁ ସାହାସ ଦେବା ଷଡ଼ଯନ୍ତ୍ର ନୁହେଁ ତ ଆଉ କ’ଣ? ମୋଦି ସରକାରଙ୍କର ଗୋଟିଏ ପରେ ଗୋଟିଏ ସ୍ତମ୍ଭକୁ ଦୁର୍ବଳ କରି ସରକାର ଭାଙ୍ଗିବାକୁ ଉଦ୍ୟମ ଜାରି ରହିଛି।

‘ସାମନା’ରେ ଆହୁରି ମଧ୍ୟ ଲେଖାଯାଇଛି ଯେ କେଜ୍ରିୱାଲଙ୍କ ରାଜନୀତି ପାଣି ଫୋଟକା ଭଳି।

ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ଡିଡିସିଏରେ ଦୁର୍ନୀତି ହେବା ନେଇ ଆପ୍ ଯେଉଁ ଅଭିଯୋଗ କରୁଛି ତାହା କେବଳ ବିଜେପି ନୁହେଁ, ମୋଦି ସରକାରଙ୍କର ଭାବମୂର୍ତ୍ତି ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି। ଜେଟଲୀ ବିଜେପିର ଜଣେ ପ୍ରମୁଖ ସଦସ୍ୟ। ମୋଦି ସରକାରର ମଧ୍ୟ ସେ ଜଣେ ପ୍ରମୁଖ ସଦସ୍ୟ। ତାଙ୍କ ଉପରେ ହମଲା ସମୟରେ ସମସ୍ତଙ୍କୁ ଏକଜୁଟ୍ ହେବାକୁ ହେବ। ସେ କହିଛନ୍ତି, ବିଜେପି ସହିତ ଶିବସେନାର ରକ୍ତର ସଂପର୍କ ରହିଛି। ଦୁଇ ଦଳର ଡିଏନଏ ଗୋଟିଏ। ତେଣୁ ଏଭଳି ସମୟରେ ବିଜେପି ସହିତ ଶିବସେନା ରହିଛି।