ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଟଙ୍କା ଓ ଗୋଟିଏ ଇଟା ଦେବାକୁ ଯୋଗୀଙ୍କ ନିବେଦନ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ଝାରଖଣ୍ଡରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଉଠାଇଛନ୍ତି। ଝାରଖଣ୍ଡରେ ଥିବା ପ୍ରତିଟି ଘରର ଲୋକ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଗୋଟିଏ ଇଟା ଓ ୧୧ ଟଙ୍କା ଦେବାକୁ ସେ ଆହ୍ୱାନ କରିଛନ୍ତି।

ସୋମବାର ଭୋଟିଂ ହେବାକୁ ଥିବା ବାଗୋଦରରେ ଉଦବୋଧନ ଦେଇ ସେ କହିଛନ୍ତି, “ରାମ ରାଜ୍ୟ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରିଚାଲିଛନ୍ତି। ଗୋଟିଏ ମାଡ଼ରେ ପ୍ରଧାନମନ୍ତ୍ରୀ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏବେ ଆପଣମାନେ ଚାହିଁଲେ କଶ୍ମୀର, ଲଦାଖ ଓ ଜମ୍ମୁ ଯାଇପାରିବେ। ସେଠାରେ ମା’ ବୈଷ୍ଣବୀ ଓ ବାବା ଅମରନାଥଙ୍କ ଦର୍ଶନ କରିପାରିବେ। ସେହିଭଳି ସେଠାରେ ଜମି ମଧ୍ୟ କିଣି ପାରିବେ।

ଯଦି ଆପଣଙ୍କୁ କେହି ଏଭଳି ଅଧିକାର ଦେଇଛି, ତା’ହେଲେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଧାରା ୩୭୦ ଉଚ୍ଛେଦ ପରେ କଂଗ୍ରେସ, ଆରଜେଡି ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ଗୁଡ଼ିକ ଭୟ ଓ ହୁସକାଇବା ଭଳି ବୟାନ ଦେଇଥିଲେ। ତଥାପି ଧାରା ୩୭୦ ପରେ କାହାର ବି ଜୀବନ ଯାଇନାହିଁ।

ଭାରତରେ କେବେ ହେଲେ ସଂପ୍ରଦାୟ ଓ ଜାତିକୁ ଗୁରୁତ୍ୱ ଦିଆଯାଏ ନାହିଁ। ହେଲେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଏହାର ବିପରୀତ ଘଟଣା ଘଟିଛି। ସେଠାରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ କରାଯାଉଛି ଏବଂ ନିର୍ଯାତନା ଦିଆଯାଉଛି। ଏବେ ସେମାନଙ୍କୁ ସରକାର ଭାରତର ନାଗରିକତା ଦେବେ।

କଂଗ୍ରେସ, ଆରଜେଡି, ସିପିଆଇ(ଏମଏଲ) ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳଗୁଡ଼ିକ ନିଜ ପାଇଁ କାମ କରୁଛନ୍ତି। ହେଲେ ବିଜେପି ସର୍ବଦା ଦେଶ ପାଇଁ କାର୍ଯ୍ୟ କରୁଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗ ଦରକାର। ତେଣୁ ଝାରଖଣ୍ଡର ପ୍ରତିଟି ଘର ଏଥିପାଇଁ ଆଗେଇ ଆସିବା ଦରକାର।”