କହୁ କହୁ କହିଦେଲେ କେନ୍ଦ୍ର ମନ୍ତ୍ରୀ! ଦୁଷ୍କର୍ମକୁ ବେଳେବେଳେ ଅଟକାଇ ହେବ ନାହିଁ

ନୂଆଦିଲ୍ଲୀ: ଦୁଷ୍କର୍ମକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଯାଇଥିବା ବେଳେ ଜଣେ କେନ୍ଦ୍ର ମନ୍ତ୍ରୀ ଏହାକୁ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ ହେଉଛନ୍ତି    କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର। ସେ କହିଛନ୍ତି,“ଦୁଷ୍କର୍ମ ଏକ ଦୁର୍ଭାଗ୍ୟଜନକ ଘଟଣା। କିନ୍ତୁ ଏହାକୁ ବେଳେବେଳେ ଅଟକାଇ ହେବ ନାହିଁ। ତେବେ ସରକାର ସକ୍ରିୟ ଅଛନ୍ତି।”

ସେ କହିଛନ୍ତି,“ ଭାରତ ଭଳି ଏକ ବଡ଼ ଦେଶରେ ଯଦି ଏଭଳି ଗୋଟିଏ ଦୁଇଟି ଘଟଣା ଘଟୁଛି, ତା’ହେଲେ ତାକୁ ନେଇ ଏତେ ହୋହାଲ୍ଲା କରାଯିବା ଉଚିତ ନୁହେଁ।”

ଗତ କିଛି ସପ୍ତାହ ହେଲା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଏନେଇ ପ୍ରାୟ ସମସ୍ତେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି। କାରଣ ଏଥିରୁ କିଛି ଘଟଣାରେ ବିଜେପି ନେତାଙ୍କ ସଂପୃକ୍ତି ରହିଛି। ଜମ୍ମୁ ଓ କାଶ୍ମୀରର କଠୁଆରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ବିଜେପି ନେତାମାନେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଏଥିରେ ଜଣେ ବିଜେପି ବିଧାୟକ ଓ ତାଙ୍କ ଭାଇ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି।

ଏ ପ୍ରସଙ୍ଗକୁ ନେଇ ଦେଶବିଦେଶର ୬୦୦ ଶିକ୍ଷାବିତ୍‌ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ମୋଦିଙ୍କ ନିରବତା ଉପରେ ପ୍ରଶ୍ନ କରିଛନ୍ତି। ଅବଶ୍ୟ ଦେଶ ସାରା ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି।   ୧୨ବର୍ଷରୁ କମ୍ ବୟସ୍କ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦେଷୀକୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆସିଥିବା ଅଧ୍ୟାଦେଶରେ କ୍ୟାବିନେଟ୍ ମୋହର ଲାଗିଛି। ଏହା ଉପରେ ରାଷ୍ଟ୍ରପତି ମଧ୍ୟ ମୋହର ମାରିଛନ୍ତି।