ଖାକିରେ କଳଙ୍କ: ବଳାତ୍କାର ପୀଡ଼ିତାଙ୍କୁ ସେକ୍ସ ପାଇଁ ବାଧ୍ୟ କଲା ପୋଲିସ

ରାମପୁର(ଉତ୍ତରପ୍ରଦେଶ):ଖାକିରେ  କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ଜଣେ ଦୁଷ୍କର୍ମ ପୀଡ଼ିତା  ମହିଳା ନ୍ୟାୟ ପାଇ ଥାନାକୁ ଯାଇ ନିର୍ଯାତନାର ଶିକାର। ବଳାତ୍କାରୀଙ୍କୁ ଗିରଫ ପାଇଁ ଦାବି କରିବାକୁ ଆସିଥିବା ସମ୍ପୃକ୍ତ ମହିଳାଙ୍କୁ  ଓଲଟି ଯୌନ ସମ୍ପର୍କ ପାଇଁ ବାଧ୍ୟ କରିଥିଲା ପୋଲିସ। ଏଥିରେ ମହିଳା ଜଣକ ରାଜି ନ ହେବାରୁ ପୋଲିସ ଉକ୍ତ କେସକୁ କ୍ଲୋଜ୍‌  କରିଦେଇଛି।  ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ଅଭିଯୋଗ ଅନୁଯାୟୀ ୩୭ ବର୍ଷୀୟ  ସମ୍ପୃକ୍ତ ମହିଳା ଚଳିତ ଫେବୃଆରୀ ୧୨ ତାରିଖରେ  ଦୁଇ ଜଣଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିଲେ। ଏନେଇ ସେତେବେବଳେ ରାମପୁରର ଗଞ୍ଜ ଥାନାରେ ମାମଲା ହୋଇଥିଲା।

ପରେ ଫେବୃଆରୀ ୨୧ରେ ଅଭିଯୁକ୍ତଙ୍କୁ ଚିହ୍ନଟ ମଧ୍ୟ କରାଯାଇଥିଲା। ସେମାନେ ହେଲେ ଅମିର ଅହମ୍ମଦ(୫୫) ଏବଂ ସଟର ଅହମ୍ମଦ (୪୫)। ଏହି ଘଟଣାର ତଦନ୍ତ ଅଧିକାରୀ ଥିଲେ ଏସ୍‌ଆଇ ଜୟ ପ୍ରକାଶ ସିଂ। ହେଲେ ଅଭଯୁକ୍ତ ଜଣକ ଖୋଲମଖୋଲା ବୁଲୁଥିଲେ ମଧ୍ୟ ପୋଲିସ ଗିରଫ କରି ନ ଥିଲା। ଏବେ ମହିଳା ଜଣକ ଅଭିଯୁକ୍ତଙ୍କ ଗିରଫ ପାଇଁ ସମ୍ପୃକ୍ତ ତଦନ୍ତ ଅଧିକାରୀଙ୍କ ନିକଟରେ ଦାବି କରିବା ପାଇଁ ଆସିଥିଲେ। ତଦନ୍ତ ଅଧିକାରୀ ଏସଆଇ ଜୟ ପ୍ରକାଶ ସିଂ ତାଙ୍କ ସହ ସର୍ତ୍ତ ରଖିଥିଲେ। ତାଙ୍କୁ ଯୌନ ସମ୍ପର୍କ ପାଇଁ ବାଧ୍ୟ କରିଥିଲେ। ନଚେତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ନାହିଁ ବୋଲି ସଫା ସଫା କହିଥିଲେ ସମ୍ପୃକ୍ତ ପୋଲିସ ଅଧିକାରୀ। ଏଥିରେ ମହିଳା ଜଣକ ରାଜି ନହେବାରୁ ତଦନ୍ତ ଅଧିକାରୀ ଏସଆଇ ଜୟ ପ୍ରକାଶ ସିଂ ଏହି ମାମଲାର ଫାଇଲ କ୍ଲୋଜ୍‌ କରିଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ ମହିଳା ଜଣକ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ