‘ଇଚ୍ଛା ମୃତ୍ୟୁ’ ପାଇଁ ରାଷ୍ଟ୍ରପତିଙ୍କୁ ଦରଖାସ୍ତ ଦେଲେ ଦମ୍ପତି, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

” ଏକାଠି ବଞ୍ଚିବା ଓ ଏକାଠି  ମରିବା..” ଏ ଲାଇନ୍‌ଟି ଆପଣ ଅନେକ ବଲିଉଡ ଫିଲ୍ମରେ ଶୁଣିଥିବେ। ଗୁଣ୍ଡାମାନେ ଆକ୍ରମଣ କରିବା ସମୟରେ, ଏମିତି କିଛି ପ୍ରତିଜ୍ଞା କରନ୍ତି ମୃତ୍ୟୁ ମୁଖରେ ପଡିଥିବା ଫିଲ୍ମର ହିରୋ ଓ ହିରୋଇନ୍। ହେଲେ ବାସ୍ତବ ଦୁନିଆରେ ଏ ପ୍ରତିଜ୍ଞା ପାଳନ କରିବା ଏତେ ସହଜ ନୁହେଁ। ଏହା ଅସମ୍ଭବ ମଧ୍ୟ। ସ୍ୱାମୀ ସ୍ତ୍ରୀଙ୍କ ଭିତରୁ କାହାକୁ ନା କାହାକୁ ଆଗ ଦୁନିଆ ଛାଡିବାକୁ ପଡେ। ହେଲେ ଆଜିବି ବାସ୍ତବ ଦୁନିଆରେ ସେମିତି କିଛି ହିରୋ ଓ ହିରୋଇନ୍ ଅଛନ୍ତି ଯେଉଁମାନେ ଏକାଠି ମରିବାକୁ ଚାହୁଁଛନ୍ତି। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଏକ ଦମ୍ପତି ଏକାଠି ମରିବାକୁ ରାଷ୍ଟ୍ରପତି ରାମନାଥ କେବିନ୍ଦଙ୍କ ପାଖରେ ଇଚ୍ଛା ମୃତ୍ୟୁ ଆବେଦନ କରିଛନ୍ତି।

ଏହି ସ୍ୱାମୀସ୍ତ୍ରୀ ହେଲେ ମୁମ୍ବାଇର। ମହିଳାଙ୍କ ନାଁ ହୀରାବତୀ ଲାବତେ। ୭୮ ବର୍ଷୀୟ ହୀରାବତୀ ଜଣେ ଅବସରପ୍ରାପ୍ତ ସ୍କୁଲ ପ୍ରିନ୍ସିପାଲ୍। ତାଙ୍କ ସ୍ୱାମୀ ନାରାୟଣ ଲାବତେ। ୮୭ ବର୍ଷୀୟ ନାରାୟଣ ଜଣେ ଅବସରପ୍ରାପ୍ତ ଷ୍ଟେଟ ଟ୍ରାନ୍ସପୋର୍ଟ ଅଫିସର। ଦୁହେଁ ନିଜସ୍ୱ ସମ୍ମତିରେ ‘ଇଚ୍ଛା ମୃତ୍ୟୁ’ ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରିଛନ୍ତି।

ଇଚ୍ଛା ମୃତ୍ୟୁ?

‘ଇଚ୍ଛା ମୃତ୍ୟୁ’ ନାଁରୁ ସଫାସଫା ଜଣା ପଡୁଛି ଯେ, ଏହି ମୃତ୍ୟୁ ନିଜ ଇଚ୍ଛା ଅନୁସାରେ ହେବ। ପ୍ରାକୃତିକ ନୁହେଁ। ଏଥିପାଇଁ ସରକାରଙ୍କୁ ଗୁହାରୀ କରିବାକୁ ପଡେ। ଚିକିତ୍ସା ବିଜ୍ଞାନ ଅନୁସାରେ ଇଚ୍ଛା ମୃତ୍ୟୁ ଅର୍ଥ ହେଉଛି ଅନ୍ୟ କାହା ସାହାଯ୍ୟରେ ଓ ବିନା କଷ୍ଟରେ ମୃତ୍ୟୁବରଣ କରିବା। ଭାରତରେ ଇଚ୍ଛା ମୃତ୍ୟୁକୁ ଅବୈଧ ବୋଲି ବିବେଚନା କରାଯାଉଛି। କାରଣ ଇଣ୍ଡିଆନ ପେନାଲ କୋଡ୍‌(ଆଇପିସି)ର ଧାରା ୩୦୯ ଅନୁଯାୟୀ ଆତ୍ମହତ୍ୟା ଏକ ଅପରାଧ।

ଦମ୍ପତିଙ୍କ ଇଚ୍ଛା ମୃତ୍ୟୁ ନିଷ୍ପତ୍ତି ପଛର କାରଣ?

କାରଣ ପୂରା ସାଧାରଣ। ଏମାନେ ବି ସଂସାର ମୋହରେ ବନ୍ଧା। ଜଣେ ଅନ୍ୟ ଜଣଙ୍କ ବିନା ବଞ୍ଚିବାର ଭୟ ଏମାନଙ୍କୁ ଏ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି। କେହି କାହାକୁ ଛାଡି ରହିବାକୁ ନାରାଜ। ଏଥି ସହ ଏବେ ସେମାନେ ଆଉ ବଞ୍ଚିବାକୁ ଚାହାଁନ୍ତିନାହିଁ। ନାରାୟଣ ଲାବତେ ଇଚ୍ଛା ମୃତ୍ୟୁ ପାଇଁ ୨୦୧୭ ଡିସେମ୍ବର ମାସରେ ଦରଖାସ୍ତ ଦେଇଥିଲେ। ଏହି ଦମ୍ପତି ଏବେ ମୁମ୍ବାଇର ‘Right to Die with Dignity’ ଦଳର ସଦସ୍ୟ ମଧ୍ୟ ଅଛନ୍ତି।