ଜେଟଲୀଙ୍କ ଫୌଜଦାରୀ ମାନହାନୀ ମକଦ୍ଦମା: ଏପ୍ରିଲ ୭ରେ କୋର୍ଟରେ ହାଜର ହେବାକୁ କେଜ୍ରିୱାଲ୍‌ଙ୍କୁ ସମନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଦାଏର କରିଥିବା ଫୌଜଦାରୀ ମାନହାନୀ ମକଦ୍ଦମା ଆଧାରରେ ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଆମ୍ ଆଦ୍‌ମୀ ପାର୍ଟିର ୫ ନେତାଙ୍କୁ ସମନ୍ ଜାରି କରିଛନ୍ତି। ଏପ୍ରିଲ୍ ୭ରେ କୋର୍ଟରେ ହାଜର ହେବା ପାଇଁ ସେମାନଙ୍କୁ ସମନ ଜାରି କରାଯାଇଛି।

କେଜ୍ରିୱାଲଙ୍କ ବ୍ୟତୀତ ଆଉ ଯେଉଁମାନଙ୍କୁ କୋର୍ଟ ତାଙ୍କ ନିକଟରେ ହାଜର ହେବା ପାଇଁ କହିଛନ୍ତି ସେମାନେ ହେଲେ ଆପ୍ ନେତା କୁମାର ବିଶ୍ୱାସ, ଆଶୁତୋଷ, ସଞ୍ଜୟ ସିଂହ, ରାଘବ ଚଢ଼ା ଓ ଦୀପକ ବାଜପେୟୀ।

କୋର୍ଟ ସେମାନଙ୍କୁ ଆଇପିସି ଧାରା ୫୦୦ (ଫୌଜଦାରୀ ମାନହାନୀ) ଓ ୩୪ (କମନ୍ ଇଣ୍ଟେନ୍‌ସନ୍) ଅନୁଯାୟୀ ସମନ ଜାରି କରିଛନ୍ତି।

ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ବିବାଦ ନେଇ ଜେଟଲୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ୫ ନେତାଙ୍କ ବିରୋଧରେ ଫୌଜଦାରୀ ମାନହାନୀ ମକଦ୍ଦମା ଦାଏର କରିଥିଲେ।