ରାମରହିମଙ୍କ ବିରୁଦ୍ଧରେ ଦଣ୍ଡବିଧାନ ଆସନ୍ତାକାଲି

ନୂଆଦିଲ୍ଲୀ: ଦୁଇ ଅନୁଗାମୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ବିବାଦୀୟ ବାବା ଗୁରମିତ୍ ରାମ୍ ରହିମଙ୍କର ଆସନ୍ତାକାଲି ଦଣ୍ଡବିଧାନ ହେବ। ରୋହତକ୍ ଜେଲରେ ଏହି ଦଣ୍ଡବିଧାନର ଶୁଣାଣି ହେବ। ସୁରକ୍ଷା କାରଣରୁ ଜେଲରେ ସ୍ୱତନ୍ତ୍ର ଅଦାଲତ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ରାମରହିମଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ହରିଆଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ-ହରିଆଣା ହାଇକୋର୍ଟ।

ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଚକୁଲା ଏବଂ ସିର୍ସାରେ କୌଣସି ଅଘଟଣ ଘଟି ନ ଥିବା ହରିଆଣା ପୋଲିସ ଡିଜି କହିଛନ୍ତି। ଶାନ୍ତି ବଜାୟ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଅମ୍ବାଲା ସେକ୍ସନରେ କିଛି ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ଅଳ୍ପ କିଛି ସ୍ଥାନରେ ବସ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି।  ହିଂସାକାଣ୍ଡରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୯ ଜଣ ଆହତ ହୋଇଛନ୍ତି। ମୋଟ ୫୫୨ ଜଣଙ୍କୁ ଗିରଫ କରାଯାଇଛି। ୮ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସିସିଟିଭି ଫୁଟେଜରୁ କେହି ଚିହ୍ନଟ ହେଲେ ଗିରଫ ସଂଖ୍ୟା ଆହୁରି ବଢିପାରେ।

ପଞ୍ଚକୁଲାର ବିଭିନ୍ନ ସ୍ଥାନରୁ ଗୋଟିଏ AK-47, ଗୋଟିଏ ମାଉଜର, ୫ଟି ପିସ୍ତଲ ଓ ୨ଟି ରାଇଫଲ ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି।