କୋର୍ଟରେ ହାଜର ହେଲା ଗାଈ

ନୂଆଦିଲ୍ଲୀ: ଆଜି ରାଜସ୍ଥାନରେ ଯୋଧପୁର କୋର୍ଟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଏକ ଗାଈର ପ୍ରକୃତ ମାଲିକ କିଏ,ସେ ନିଷ୍ପତ୍ତି ନେବାପାଇଁ ଗାଈଟିକୁ କୋର୍ଟରେ ହାଜର କରାଯାଇଛି।

ଏହି ମାମଲାକୁ ନେଇ ଓକିଲ ରମେଶ କୁମାର ବିଷ୍ଣୋଇ କହିଛନ୍ତି, ଏହି ବିବାଦ ଜଣେ କନ୍‌ଷ୍ଟେବଲ ଓମ୍‌ ପ୍ରକାଶ ଏବଂ ଜଣେ ଶିକ୍ଷକ ଶ୍ୟାମ୍‌ ସିଂହଙ୍କ ମଧ୍ୟରେ ଉପୁଜିଥିଲା। ଉଭୟ ଗାଈ ଉପରେ ନିଜର ମାଲିକାନା ଦାବି କରୁଥିଲେ। ପରେ ମିଳିତ ନିଷ୍ପତ୍ତି ଅନୁଯାୟୀ ଗାଈଟିକୁ କଂସେଇଖାନା ମଧ୍ୟ ପଠାଯାଇଥିଲା। କିନ୍ତୁ ବିବାଦ ସେଠାରେ ମଧ୍ୟ ସରିନଥିଲା।

ଗତବର୍ଷ ଅଗଷ୍ଟରେ ଏହି ଗାଈକୁ ନେଇ ମାଣ୍ଡୋର ପୁଲିସ୍‌ ଷ୍ଟେସନ୍‌ରେ ମାମଲା ହୋଇଥିଲା। ପୁଲିସ୍‌ ଏହାର ସମାଧାନ ପାଇଁ ବହୁ ପ୍ରୟାସ କରିବା ପରେ ଶେଷରେ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟକୁ ମାମଲା ଯାଇଥିଲା। ବିଚାରପତି ଜଷ୍ଟିସ୍‌ ମଦନ ସିଂହ ଚୌଧୁରୀ ଗାଈଟିର ଶାରିରୀକ ଅନୁଶୀଳନ କରିଛନ୍ତି। ଆସନ୍ତା ଏପ୍ରିଲ ୧୫ରେ ସେ ଏହି ମାମଲାର ଶୁଣାଣି କରିବେ ବୋଲି ସେ କହିଛନ୍ତି।