ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ: ନିଜ ସ୍ୱାର୍ଥ ପାଇଁ ମା’କୁ ଟ୍ରାକ୍ଟର ଆଗରେ ଶୁଆଇଦେଲା

ମୁମ୍ବାଇ: ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ। ନିଜ ସ୍ୱାର୍ଥ ପାଇଁ ଜନ୍ମକଲା ମା’ର ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଇନାହିଁ ପୁଅ। ବୃଦ୍ଧା ମା’କୁ ଚଳନ୍ତା ଟ୍ରାକ୍ଟର ସମ୍ନାକୁ ଫୋଫାଡି ଦେଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ର ମୁଙ୍ଗୁଳା ଜିଲ୍ଲାର ମାଲେଗାଁଓ ତହସିଲରେ । ଗତ ଜୁନ୍‌ ୨୧ରେ ଏହି ଘଟଣା ଘଟିଥିଲା ବେଳେ ଏବେ ଏହା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାଲେଗାଁଓ ତହସିଲରେ ଦୁଇ ଚାଷୀ ପରିବାର ରାୱତ ପରିବାର ଏବଂ ଦଲଭି ପରିବାର ମଧ୍ୟରେ ବିବାଦ ଉପୁଜିଥିଲା। ଏହି ମାମଲା କୋର୍ଟକୁ ଯାଇଥିଲା। କୋର୍ଟ ରାୱତ ପରିବାର ସପକ୍ଷରେ ରାୟ ଦେଇଥିଲା ବେଳେ ଏହାକୁ ଦଲଭି ପରିବାର ଗ୍ରହଣ କରି ନ ଥିଲା।  ତେବେ ବିବାଦୀୟ ଜମିରେ ଯେତେ ବେଳେ ରାୱତ୍‌ ପରିବାର ଚାଷ ପାଇଁ ଟ୍ରାକ୍ଟର ଧରି ପହଞ୍ଚିଲେ ଏହି ସମୟରେ ଦଲଭି ପରିବାରର ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ଜବରଦସ୍ତ ଘୋଷାରି ଘୋଷାରି ଘଟଣାସ୍ଥଳକୁ ଆସିଥିଲେ। ଆଉ ଚାଷ କରାଇ ନଦେବାକୁ  ନିଜ ମା’କୁ ସେହି ଟ୍ରାକ୍ଟର ସମ୍ମୁଖରେ ଶୁଆଇ ଦେଇଥିଲେ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରରେ ଆଲୋଡ଼ନ ଖେଳି ଯାଇଛି।