କର୍ଣ୍ଣାଟକରେ ଭାଙ୍ଗିଯିବ କି ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର?

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ସରକାର ଭାଙ୍ଗିବାର ଭୟ ଘାରିବାରେ ଲାଗିଛି। ସରକାର ସିନା ଗଠନ କରିଦେଲେ, ହେଲେ ଦୁଇ ଦଳ ମଧ୍ୟରେ ଲାଗି ରହିଥିବା ମତଭେଦ ଦୂର ହେବା ବଦଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବଜେଟ୍‌ ଓ ଅନ୍ୟ କିଛି ପ୍ରସଙ୍ଗରେ ଦୁଇ ଦଳଙ୍କ ମତରେ ମେଳ ଖାଉନାହିଁ। ଯାହା ସରକାରରେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି।

ଏହି ସମସ୍ୟାର ସମାଧାନ କରି ସରକାର କେମିତି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବ ସେଥିପାଇଁ ଦୁଇ ଦଳର ବରିଷ୍ଠ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ରବିବାର ଦିନ ଦୁଇ ଦଳର ବରିଷ୍ଠ ନେତାମାନେ ବେଙ୍ଗାଲୁରୁରେ ଏକାଠି ହୋଇ ମତଭେଦ ଦୂର କରିବାକୁ ଯୋଜନା ପ୍ରସ୍ତୁତ କରିବେ ବୋଲି ଜଣାପଡିଛି। ଏଥିରେ ସର୍ବନିମ୍ନ ସହଭାଗିତାକୁ ନେଇ ଆଲୋଚନା କରାଯାଇ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବ।

ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା କହିଥିଲେ, “ମେଣ୍ଟରେ ଲାଗି ରହିଥିବା ବିବାଦୀୟ ସ୍ଥିତିକୁ ଦେଖିଲେ ସନ୍ଦେହ ହେଉଛି କି ଏହି ସରକାର କାର୍ଯ୍ୟକାଳ ପୂରଣ କରିପାରିବ। ସାଧାରଣ ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି ସରକାର ରହିବ। ଏହାପରେ ସବୁ ଜଣାପଡ଼ିଯିବ।”

ତେବେ ସିଦ୍ଧରମେୟାଙ୍କ ଏହି ବୟାନ ପରେ ଆଗକୁ ଆସିଥିଲେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପରମେଶ୍ୱରା। ସେ କହିଥିଲେ, “ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭାବେ ମୁଁ ଏହା ସ୍ପଷ୍ଟ କରୁଛି ଯେ ଆମେ ୫ ବର୍ଷ ସରକାର ଚଳାଇବାକୁ ସହମତ ହୋଇଛୁ। ଅନ୍ୟମାନେ ଯିଏ ବାହାରେ କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଅପ୍ରାସଙ୍ଗିକ। ବାହାର ଲୋକ ଅନ୍ୟ ପ୍ରକାର ଆଲୋଚନା କରିବେ।”