ଆନ୍ଦୋଳନରେ ଗଲେ ଶିକ୍ଷକ ପାଠ ପଢ଼ାଇଲେ ଯବାନ

ରାମଗଡ଼: ସ୍କୁଲ୍ ହତାକୁ ହଠାତ୍ ପଶିଆସୁଛନ୍ତି ଯବାନ। କିନ୍ତୁ ବନ୍ଧୁକ କିମ୍ବା ଗ୍ରେନେଡ୍ ନୁହେଁ, ସେମାନଙ୍କର ଅସ୍ତ୍ର ସାଜିଛି କଲମ ଏବଂ ଚକ୍। ଯୁଦ୍ଧକ୍ଷେତ୍ର ସାଜିଛି କଳାପଟା।

ଝାରଖଣ୍ଡରେ ପାରା ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସ୍କୁଲ୍‌ ଆସୁନଥିବାବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ହେବାକୁ ଦେଇନାହାନ୍ତି କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ଫୋର୍ସ (ସିଆରପିଏଫ୍‌) ଯବାନ। ବନ୍ଧୁକ ଏବଂ ଗୁଳିବାରୁଦରେ ଦିନ କାଟୁଥିବା ଏହି ଯବାନମାନେ ଏବେ ଚକ୍‌ ଖଡ଼ି ସହିତ ଉଭା ହୋଇଛନ୍ତି।

ସିଆରପିଏଫ୍‌ ଲୋକଙ୍କ ସେବାରେ ସବୁ ସମୟରେ ଅଛି ପ୍ରମାଣିତ କରି ସେମାନେ ବନ୍ଧୁକର ଭାଷା ଛାଡ଼ି ଜ୍ଞାନର ବାର୍ତ୍ତା ବାଣ୍ଟୁଥିବା ଜଣାଯାଇଛି।

ଏହି ସୁରକ୍ଷାବାହିନୀ ଦ୍ୱାରା ଜାରି କରାଯାଇଥିବା ଏକ ପ୍ରେସ୍‌ବିବୃତ୍ତିରେ କୁହାଯାଇଛି, “ସ୍ଥିତିକୁ ଅନୁଧ୍ୟାନ କରିବାପରେ ସିଆରପିଏଫ୍‌ ପକ୍ଷରୁ ହସ୍ତକ୍ଷେପ କରିବାପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଯଦିଓ ପୂର୍ବରୁ ନକ୍ସଲପ୍ରବଣ ଅଞ୍ଚଳରେ କେବଳ ଏହା ଚାଲୁ ରହିଛି ଏବେ ସମଗ୍ର ରାଜ୍ୟରେ ଥିବା ବିଭିନ୍ନ ୟୁନିଟ୍‌ ଏକାଠି ହୋଇ ଏହି ପ୍ରୟାସକୁ ଆଗକୁ ବଢ଼ାଇଛନ୍ତି।”

ଏହି ଜିଲ୍ଲାର କେଡ୍‌ଲା ଅଞ୍ଚଳର ଏକ ସ୍କୁଲର ପ୍ରଧାନଶିକ୍ଷକଙ୍କ କହିବା ଅନୁଯାୟୀ, ସମସ୍ତ ୫ ପାରା ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ ପାଇଁ ଚାଲିଯିବାରୁ ସଙ୍କଟଜନକ ସ୍ଥିତି ଉପୁଜିଥିଲା। କିନ୍ତୁ ଯବାନମାନଙ୍କ ସହଯୋଗ ଏହି ସମସ୍ୟାର ସମାଧାନ କରିପାରିଛି।

୨୬ ବ୍ୟାଟାଲିଆନ୍‌ ସିଆରପିଏଫ୍‌ ଏହି କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ଏବଂ ବର୍ତ୍ତମାନ ରୁଟିନ୍‌ ଯଥାରୀତି ଚାଲୁ ରହିଥିବା ଜଣାଯାଇଛି।