‘ରାଜନୀତି’ ଆରମ୍ଭ କରି ଦେଲେଣି କି ରଜନୀକାନ୍ତ?

ଚେନ୍ନାଇ: ଆଇପିଏଲ୍ ମ୍ୟାଚ୍ ଖେଳିବା ବେଳେ ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳିମାନେ କଳା ବ୍ୟାଜ୍ ପିନ୍ଧିବା ଉଚିତ ବୋଲି କହିଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ। କାବେରୀ ପରିଚାଳନା ପରିଷଦ ଗଠନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଥିବାରୁ ତା’ର ବିରୋଧ କରି ଖେଳାଳିମାନେ ଏପରି କରିବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତକାଲିଠାରୁ ଚଳିତ ଆଇପିଏଲ୍ ସିଜିନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ ବିଜୟୀ ହୋଇଛି।

କାବେରୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରି ତାମିଲ ଫିଲ୍ମ ଜଗତର କଳାକାରଙ୍କ ସହିତ ଅନ୍ୟମାନେ ଏକାଠି ହୋଇ ଅସନ୍ତୋଷ ଜାହିର କରିଛନ୍ତି। ରଜନୀକାନ୍ତ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ସେ କହିଛନ୍ତି,“କେନ୍ଦ୍ର ସରକାର କାବେରୀ ପରିଚାଳନା ପରିଷଦ ଗଠନ ନକଲେ ତାମିଲ ଲୋକଙ୍କ ଆକ୍ରୋଶର ଶିକାର ହେବେ। ଯଦି ଚେନ୍ନାଇରେ ଆଇପିଏଲକୁ ବ୍ୟାନ୍ କରା ନଯିବ, ତା’ହେଲେ ଚେନ୍ନାଇ ସୁପର କିଙ୍ଗସ ଖେଳାଳିମାନେ କଳା ବ୍ୟାଜ୍ ପିନ୍ଧି ଖେଳନ୍ତୁ। ଏହା ଦ୍ୱାରା ସେମାନେ ବି କେନ୍ଦ୍ର ସରକାରଙ୍କୁ ପ୍ରତିବାଦ ଜଣାଉଛନ୍ତି ବୋଲି ବୁଝାପଡ଼ିବ।”

ସେହିପରି କର୍ଣ୍ଣାଟକର ଏମ୍‌.କେ ସୁରାପ୍ପାଙ୍କୁ ଆନ୍ନା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେବାକୁ ହୋଇଥିବା ନିଷ୍ପତ୍ତିକୁ ରଜନୀକାନ୍ତ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହା ଗ୍ରହଣୀୟ ନୁହେଁ। ଶିକ୍ଷା ସହିତ କୌଣସି ପ୍ରକାର ରାଜନୀତି କରିବା ଠିକ୍ ନୁହେଁ। ଏଭଳି ଏକ ସ୍ଥିତିରେ କର୍ଣ୍ଣାଟକର ଜଣେ ବ୍ୟକ୍ତିଙ୍କୁ ଆନ୍ନା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେବା ଠିକ୍ ନୁହେଁ।

ସୂଚନାଯୋଗ୍ୟ, ରଜନୀକାନ୍ତ ଗତବର୍ଷ ଡିସେମ୍ବର ମାସରେ ରାଜନୀତିରେ ପ୍ରବେଶ କରିଥିଲେ। ସେ କୌଣସି ଦଳରେ ମିଶି ନାହାଁନ୍ତି। ସେ ନିଜେ ଦଳ ଗଢ଼ିବେ ଓ ଏହି ଦଳ ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବ। ସେ ସମସ୍ତ ୨୩୪ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଥିଲେ।