ଭାରତରେ ଭାଇରସ୍‌ ଭୟ: ଏଟିଏମ୍‌ରେ ପଡିଲା ସଟର୍‌, କ’ଣ କହୁଛି ଆର୍‌ବିଆଇ

ନୂଆଦିଲ୍ଲୀ: ଇଣ୍ଟରନେଟ ଦୁନିଆରେ ଝଡ଼। ଆତଙ୍କ ଖେଳାଉଛି ସାଇବର ଆକ୍ରମଣ। ମହାବାତ୍ୟା ପରି ମାଡ଼ିଆସୁଛି  ‘ୱାନାକ୍ରାଏ ରାନ୍‌ସମ୍‌ୱେର’ ଭାଇରସ। ଏହି ସାଇବର ଆକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ। ମିଳିଥିବା ସୂଚନା ଅନୁଯାଇ ଏହି ଭାଇରସର ଆକ୍ରମଣରୁ  ବର୍ତ୍ତିବା ପାଇଁ ଆଜି ଦେଶରେ ଅଧିକାଂଶ  ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ ବନ୍ଦ ରଖିଥିଲେ। ଏନେଇ କେନ୍ଦ୍ର ସରକାର ମଧ୍ୟ ସ୍ୱୀକାର କରିଛନ୍ତି। ଏ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସାଇବର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଶତାଧିକ ଏଟିଏମ ବନ୍ଦ କରାଯାଇଛି।  ଏହି ଖବର ପ୍ରସାର ହେବା ପରେ ଆରବିଆଇ (ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ) ବ୍ୟାଙ୍କ ଗୁଡ଼ିକୁ ତାଗିଦ୍‌ କରିଛି। ସୁରକ୍ଷା ଦୃଷ୍ଟିରୁ ଏଟିଏମର ସଫ୍ଟୱେରକୁ ଅପଡେଟ୍‌ କରିବା ପାଇଁ ପରାମର୍ଶ ଦେଇଛି। କୁହାଯାଉଛି ଏହି ଭାଇରସ କବଳରେ ଅନ୍ୟ ଦେଶ ତୁଳନାରେ ଭାରତ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।