ପୁଣି ସାଇବର ଆଟାକ୍‌: ସାରା ବିଶ୍ୱ ଥରହର: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ଅଚଳ

ନୂଆଦିଲ୍ଲୀ : ପୁଣି ସାଇବର ଆଟାକ୍‌। ରାନ୍‌ସମ୍‌ୱେର ଭାଇରସ୍‌ ପରେ ଏବେ ଆଉ ଏକ ଭାଇରସ୍‌ ଆତଙ୍କ ସୃଷ୍ଟି କରିଛି।  ଏହି ଭାଇରସକୁ ଚିହ୍ନଟ କରାଯାଇ ନଥିଲେ ମଧ୍ୟ  ଏହାର ପ୍ରଭାବ ରାନ୍‌ସମ୍‌ୱେର ଭଳି ଆକଳନ କରାଯାଇଛି।  ଏହି ନୂଆ ଭାଇରସର ସବୁଠୁ ଅଧିକ ପ୍ରଭାବ ୟୁରୋପୀୟ ଦେଶମାନଙ୍କରେ ପଡିଛି।  ଅଧିକ କ୍ଷତି ହୋଇଛି ୟୁକ୍ରେନ୍‌ରେ। କେବଳ ଅନ୍ୟ ଦେଶ  ନୁହେଁ ଭାରତରେ ମଧ୍ୟ ସାଇବର ଆଟାକ ହୋଇଛି।  ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରରରେ ଏହି ଭାଇରସ ଆକ୍ରମଣ ହୋଇଯାଇଛି।

ସିଷ୍ଟମ୍‌ ଅଚଳ ହେବାରୁ ଏଠି ସବୁ କାମ୍‌ ଠପ୍‌ ହୋଇଛି।  ସେହିପରି ଋସର ସବୁଠୁ ବଡ ତୈଳ କମ୍ପାନୀରେ ସିଷ୍ଟମକୁ ହ୍ୟାକ୍‌ କରାଯାଇଛି। ଏଥିସହ ଲଣ୍ଡନରୁ ମଧ୍ୟ ହ୍ୟାକିଂ ଖବର ଆସିଛି ।  ୟୁକ୍ରେନର ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ଭାଇରସର ପ୍ରଭାବରେ ସେଠାକାର ଏଟିଏମ ଠୁ ଆରମ୍ଭ କରି ବ୍ୟାଙ୍କ,  ବିମାନବନ୍ଦର, ଏମିତି କି ପାୱାର ଗ୍ରିଡ ମଧ୍ୟ କାମ କରିବା ବନ୍ଦକରିଦେଇଛି।  ଏଥିସହ ୟୁକ୍ରେନର ଏକ ମିଡିଆ ହାଉସରେ ମଧ୍ୟ ହ୍ୟାକିଂ ହୋଇଛି।  ସେଠାକାର କର୍ମଚାରୀଙ୍କ କହିବା ଅନୁଯାୟୀ କାମ କରୁଥିବା ସମୟରେ କମ୍ପ୍ୟୁଟର ହଠାତ ବନ୍ଦ ହୋଇଯାଇଥିଲା।  ଏହି କମ୍ପ୍ୟୁଟରକୁ ପୁଣିଥରେ ଚାଲୁ କରିବା ପାଇଁ 300ଡଲାର ଦବାକୁପଡିବ ବୋଲି ଏକ ମେସେଜ୍‌ ଆସିଥିଲା । ସେହିପରି  ଡେନମାର୍କ, ଫ୍ରାନ୍ସ ଓ ନରୱେରେ ଏହି ସାଇବର ଆକ୍ରମଣ ହୋଇଥିବା ଖବର ମିଳିଛି।