ପୁଣି ଗୁଜରାଟ ଆଡ଼କୁ ମୁହାଁଇଲା ବାତ୍ୟା ‘ବାୟୁ’

ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣିଥରେ ଗୁଜରାଟ ଆଡ଼କୁ ମୁହାଁଇଛି। ଗତକାଲି ଏହା ଗୁଜରାଟ ଉପକୂଳ ବଦଳରେ ଓମାନ ଆଡ଼େ ମୁହାଁଇଥିଲା। କିନ୍ତୁ ସମୁଦ୍ର ମଧ୍ୟରେ ହଠାତ୍‌ ଏହା ଦିଗ ବଦଳାଇ ଗୁଜରାଟ୍‌ର ପୋରବନ୍ଦର ଓ ଦ୍ୱାରକା ଆଡ଼େ ମୁହାଁଇଛି।

‘ବାୟୁ’ ପୁଣି ଗୁଜରାଟ୍‌ ମୁହାଁ ହୋଇଥିବାରୁ ପୁଣିଥରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ‘ବାୟୁ’ର ଦିଗ ପରିବର୍ତ୍ତନ ଯୋଗୁ ପୋରବନ୍ଦର ଓ ଦ୍ୱାରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ବାୟୁ ବର୍ତ୍ତମାନ ପଶ୍ଚିମ ଆଡ଼କୁ ଗତି କରି ଏହା ଗୁଜରାଟର ପୋରବନ୍ଦର ଓ ଦ୍ୱାରିକା ଆଡ଼କୁ ଯାଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପୁଣିଥରେ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରିବ। ସୌରାଷ୍ଟ୍ର ଉପକୂଳ ନିକଟବର୍ତ୍ତୀ ହେବାକୁ ଥିବାରୁ ବାତ୍ୟା ‘ବାୟୁ’ରେ ଗିର, ସୋମନାଥ ଓ ଜୁନାଗଡ଼ ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜୁନ୍‌ ୧୬ରୁ ବାୟୁ ପୁଣିଥରେ ଦିଗ ବଦଳାଇ ଗୁଜରାଟ୍‌ ଆଡ଼େ ମୁହାଁଇବ। ଜୁନ୍‌ ୧୭ରୁ ୧୮ ମଧ୍ୟରେ ଏହା କଚ୍ଛ ଠାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ଭୟଙ୍କର ରୂପ ଧାରଣ କରିଥିବା ‘ବାୟୁ’ ଦୁର୍ବଳ ହୋଇଯାଇଥିବ।

ଅନ୍ୟପକ୍ଷରେ ସମୁଦ୍ର ମଧ୍ୟରେ ବାତ୍ୟା ବାୟୁ ଦିଗ ବଦଳାଇ ଓମାନ ଆଡ଼କୁ ଯାଉଥିବାରୁ ଆଜି ଗୁଜରାଟ୍‌ରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଥିଲା। କିନ୍ତୁ ପୁଣି ଏହା ଗୁଜରାଟ ଆଡ଼େ ମୁହାଁଇଥିବା ସରକାର ଓ ପ୍ରଶାସନକୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ଏନ୍‌ଡିଆରଏଫ୍‌ ଟିମ୍‌ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ପୂର୍ବ ପରି ହାଇଆଲର୍ଟରେ ରହିଛନ୍ତି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ଯେଉଁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା, ସେମାନେ ଏବେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି। ହେଲେ ବାତ୍ୟାର ଏଭଳି ୟୁ-ଟର୍ଣ୍ଣ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।