ପିଲା ମୋବାଇଲ୍‌ରେ ବ୍ୟସ୍ତ ରହୁଛି କି ? ପଢ଼ନ୍ତୁ କ’ଣ କଲେ ଜଣେ ବାପା

ନୂଆଦିଲ୍ଲୀ: ଏବେ ଦୈନନ୍ଦିନ ଜୀବନର ଏକ ଆବଶ୍ୟକତା ପାଲଟି ଯାଇଛି ମୋବାଇଲ୍‌ ଫୋନ୍‌। ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଯେତେବେଳେ ଦେଖ ଫୋନ୍‌। ବାପା ଓ ମା’ଠାରୁ ଯେତେ ଗାଳି ଶୁଣିଲେ ବି ପିଲାମାନେ ଫୋନ୍‌କୁ ନିଜ ପାଖରୁ ଦୂରେଇବାକୁ ନାରାଜ। ପିଲାମାନଙ୍କୁ ଏକ ପ୍ରକାର କିମିଆ କରିଛି ମୋବାଇଲ୍‌ ଫୋନ୍‌। ସେପଟେ ଫୋନ୍‌ ପ୍ରତି ଛୁଆମାନଙ୍କର ମାତ୍ରାଧିକ ମୋହ ଦେଖି ବାପାମାଆମାନେ ଖୁବ ଚିନ୍ତିତ। ପିଲା ନେଟ୍‌ରୁ ପାଠ ପଢୁଛି ବୋଲି ଯେତେ କହିଲେ ମଧ୍ୟ ବାପା ମାଆ ମାନିବାକୁ ନାରାଜ। କାଳେ ପିଲା କିଛି ଭୁଲ୍‌ ଦିଗକୁ ଚାଲିଯିବ ସେ ନେଇ ମନରେ ସବୁବେଳେ ଡର ରହୁଛି। ଏମିତି ପରିସ୍ଥିତିରେ ମୋବାଇଲଠାରୁ ପିଲାମାନଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ଜଣେ ବାପାଙ୍କ ନିଆରା ପ୍ରୟାସ ବିଷୟରେ ଶୁଣିଲେ ଆପଣ ଖୁସି ହୋଇଯିବେ।

ଜଷ୍ଟିନ୍‌ ସ୍ମିଥ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ପିଲାଙ୍କର ମୋବାଇଲ୍‌ ଫୋନ୍‌ ବ୍ୟବହାରକୁ ନେଇ ଚିନ୍ତାରେ ଥିଲେ। ଆବଶ୍ୟକତା ଠାରୁ ଅଧିକ ଫୋନ୍‌ ବ୍ୟବହାର କରୁଥିଲେ ତାଙ୍କ ପିଲାମାନେ।  ସେ ଯେତେବେଳେ ପିଲାଙ୍କ ପାଖକୁ କିଛି କଥାବାର୍ତ୍ତା କରିବା ପାଇଁ ଯାଉଥିଲେ  ସେତେବେଳେ ସେମାନେ ଫୋନ୍‌ ମଜ୍ଜି ରହୁଥିଲେ। ସବୁବେଳେ ପିଲାମାନେ ମୋବାଇଲ୍‌ରେ ୟୁଟ୍ୟୁବ୍‌ ଭିଡିଓ ଦେଖୁଥିଲେ। ଜଷ୍ଟିନ୍ ଯେତେବେଳେ ପିଲାମାନଙ୍କୁ କିଛି ପଚାରୁଥିଲେ ବା କିଛି କଥାବାର୍ତ୍ତା କରୁଥିଲେ ସେତେବେଳେ ପିଲାମାନେ ତାଙ୍କ କଥାରେ ଧ୍ୟାନ ନଦେଇ ଭିଡିଓ ଦେଖାରେ ମଜ୍ଜି ଯାଉଥିଲେ। ଦିନକୁ ଦିନ ଏହି ସମସ୍ୟା ବଢିବାରେ ଲାଗିଲା। ଦିନେ ଜଷ୍ଟିନ୍ ଅନୁଭବ କଲେ ଯେ, ସେ ପିଲାମାନଙ୍କଠୁ ଦୂରେଇ ଯାଉଛନ୍ତି। ତେଣୁ ସେ ଏମିତି କିଛି କରିବା ପାଇଁ ଚାହିଁଲେ, ଯାହାଦ୍ୱାରା ସେ ପିଲାମାନଙ୍କ ସହ କଥା ହୋଇପାରିବେ। ତେଣୁ ସେ ୟୁଟ୍ୟୁବରେ ତାଙ୍କର ଏକ ଚ୍ୟାନେଲ୍‌ ଖୋଲିଲେ। ଯାହାର ନାଁ ରହିଛି ‘ଜୋ ଡାଡିୟୁଟ୍ୟୁବ୍’।  ‌ଏଥିରେ ସେ ତାଙ୍କ ପିଲାମାନଙ୍କ ପାଇଁ ଭିଡିଓ ଅପ୍‌ଲୋଡ କଲେ। ଜଷ୍ଟିନ୍‌ ତାଙ୍କ ପିଲାମାନଙ୍କୁ ଯାହା କହିବାକୁ ଚାହାଁନ୍ତି ସେ ସବୁ ଭିଡିଓରେ ରେକର୍ଡ କରି ୟୁଟ୍ୟୁବରେ ଅପ୍‌ଲୋଡ଼୍‌ କରିଦିଅନ୍ତି। ସେହି ଭିଡିଓ ନେଇ ସେ ତାଙ୍କ ପିଲାମାନଙ୍କୁ ଦେଖାନ୍ତି। ଭିଡିଓ ଦେଖିବା ପରେ ପିଲାମାନେ ଖୁସି ହୁଅନ୍ତି ଓ ଜଷ୍ଟିନ୍‌ କ’ଣ କହିବାକୁ ଚାହାଁନ୍ତି ସେସବୁ ମଧ୍ୟ ଶୁଣନ୍ତି।

ଜଷ୍ଟିନ୍‌ଙ୍କ କହିବା କଥା ପିଲାମାନଙ୍କୁ ନିଜ କଥା ଶୁଣାଇବାର ଓ ମନୋରଞ୍ଜନ କରିବାର ଏହା ଏକ ସୁନ୍ଦର ଉପାୟ। ତାଙ୍କ ପିଲାମାନେ ୟୁଟ୍ୟୁବ୍‌ ଦେଖିବାକୁ ପସନ୍ଦ କରନ୍ତି। ଏବେ ସେ ୟୁଟ୍ୟୁବ୍‌ରେ ତାଙ୍କ ବାପାଙ୍କୁ ଦେଖିବେ।