ଗହମ କାଟିଲେନି ବୋଲି ନିଶ କାଟିଦେଲେ

ଲକ୍ଷ୍ନୌ: ଦଳିତଙ୍କୁ ପୁଣି ନିର୍ଯ୍ୟାତନା। ଉତ୍ତର ପ୍ରଦେଶ ବୁଦାୟୁସ୍ଥିତ ଆଜମପୁର ବିସଉରିଆ ଗାଁରେ ଜଣେ ଦଳିତ ବ୍ୟକ୍ତିଙ୍କୁ ମାଡ଼ ମାରି ନିର୍ଯାତନା ଦିଆଯାଇଛି। ଗହମ କାଟିବାକୁ ମନା କରିବାରୁ ତାଙ୍କୁ ଗଛରେ ବାନ୍ଧି ନିର୍ମମ ଭାବେ ପିଟିବା ସହ ତାଙ୍କର ନିଶ କାଟି ଦେଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁଯାୟୀ ଆଜମପୁର ବିସଉରିଆ ଗାଁର ସୀତାରାମଙ୍କୁ ଏପ୍ରିଲ ୨୩ ତାରିଖ ସନ୍ଧ୍ୟାରେ ଗାଁର ଠାକୁର ବିଜୟ ସିଂ, ପିକୁ ସିଂ ଏବଂ ଶୈଲେନ୍ଦ୍ର ଗହମ କାଟିବା ପାଇଁ କହିଥିଲେ। ତୁରନ୍ତ ଏହି କାମ ପାଇଁ ସମୟ ନ ଥିବାରୁ ସୀତାରାମ ଦୁଇ ଦିନ ପରେ ଗହମ କାଟିବେ ବୋଲି କହିଥିଲେ। ଫଳରେ ସେମାନେ ରାଗି ଯାଇଥିଲେ। ସମସ୍ତେ ମିସି ପ୍ରଥମେ ସୀତାରାମକୁ ଏକ ଗଛରେ ବାନ୍ଧି ପିଟିଲେ ତାପରେ ତାଙ୍କ ନିଶ କାଟିଦେଇଥିଲେ।

ସୀତାରାମ ଯେତେବେଳେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ , ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ସାତ ଦିନ ପରେ ସିଟି ଏସ୍‌ପି ଜିତେନ୍ଦ୍ର କୁମାର ଶ୍ରିବାସ୍ତବଙ୍କ ଆଦେଶରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଗ୍ରହଣ କରାଯାଇଛି।