ଦଳିତଙ୍କୁ ବାଳକଟା ମନା, ଚର୍ଚ୍ଚାରେ କର୍ଣ୍ଣାଟକର କଳଙ୍କିତ କାହାଣୀ

ବାଙ୍ଗାଲୁର: କର୍ଣ୍ଣାଟକ ମଞ୍ଚନାବାଲେ ଗାଁର ନାଗରାଜ୍। ପ୍ରତିଥର ବାଳକାଟିବାକୁ ତାଙ୍କୁ ଯିବାକୁ ପଡୁଛି ପାଖ ଗାଁକୁ । ଏମିତି ନୁହେଁ ଯେ ଗାଁରେ ସେଲୁନ୍ ନାହିଁ । ତିନି ତିନିଟି ସେଲୁନ ଅଛି, ହେଲେ ବର୍ଷେ ହେଲା ସବୁ ଦୋକାନ ବନ୍ଦ। କାରଣ ସେଲୁନରେ ଦଳିତ ସଂପ୍ରଦାୟର ଲୋକେ ଚୁଟି କାଟିବା ପରେ ଜାତିପ୍ରଥାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଗାଁରେ ୪ହଜାର ଲୋକଙ୍କ ମଧ୍ୟରୁ ୬ଶହ ହେଉଛନ୍ତି ଦଳିତ ସଂପ୍ରଦାୟର। ଦଳିତ ଓ ଉଚ୍ଚ ଜାତିର ଲୋକଙ୍କ ଭିତରେ ଅନେକ ବର୍ଷ ଧରି ଲାଗି ରହିଛି ଶୀତଳ ଯୁଦ୍ଧ। ଏପରିକି ବର୍ଷକ ତଳେ ଦଳିତଙ୍କ ପାଇଁ ଗାଁରେ ଥିବା ସେଲୁନରେ ବାଳକାଟିବା ଉପରେ ବି କଟକଣା ଲାଗିଛି ।

ଏ ଘଟଣାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ଦଳିତ ସଂପ୍ରଦାୟର ଯୁବକମାନେ ପ୍ରତିବାଦ ଜଣାଇବାରୁ ଶେଷରେ ଗାଁରେ ଥିବା ତିନିଟିଯାକ ସେଲୁନକୁ ବନ୍ଦ କରି ଦିଆଗଲା। ଏବେ ଉଭୟ ଦଳିତ ଓ ଉଚ୍ଚବର୍ଗର ଲୋକେ ଚୁଟି କାଟିବାକୁ ପାଖ ଗାଁକୁ ଯାଉଛନ୍ତି। ଗାଁ ପଂଚାୟତରେ ବୈଠକ ବସୁଛି, ହେଲେ ବର୍ଣ୍ଣବୈଷମର ଏ ଜଟିଳ ଗଣିତକୁ କେହି ସମାଧାନ କରି ପାରୁନାହାଁନ୍ତି ।