ମଲା ମା’ଠାରୁ କ୍ଷୀର ପିଉଥିବା ଶିଶୁ ଜୀବନରେ ନୂଆ ମୋଡ଼, କୋଳେଇ ନେଲା ପରିବାର

ଭୋପାଳ: ମଲା ମା’ଠାରୁ କ୍ଷୀର ପିଇ ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିବା ଶିଶୁଟି ଶୁକ୍ରବାର ନିଜ ଘର ଠିକଣାରେ ପହଞ୍ଚିଛି। ଖବରଟି  ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଘର ଲୋକେ ପହଞ୍ଚି ଶିଶୁଟିକୁ ଫେରାଇ ନେଇଛନ୍ତି। ବୁଧବାର ମଧ୍ୟପ୍ରଦେଶର ଦାମୋହ  ରେଳ ଳାଇନ ନିକଟରେ ମରିଯାଇଥିବା ମା’ଠାରୁ ତାର ଶିଶୁ କ୍ଷୀର ପିଉଥିବାର ଦୃଶ୍ୟ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା।  ତେବେ ଘଟଣାର ୨ ଦିନ ପରେ ପୋଲିସ ମୃତ ମହିଳାଙ୍କ ପରିଚୟ ପାଇପାରିଛି। ମହିଳା ଜଣକ ଦାମୋହ ଜିଲ୍ଲାର ପଡ଼ୋଶୀ ହରଦୋଲ ଜିଲ୍ଲାର ଗଣେଷ ଅହିର୍‌ୱାରଙ୍କ ପତ୍ନୀ ବୋଲି ଜଣାପଡ଼ିଛି।

ଶୁକ୍ରବାର ପରିବାର ଲୋକେ ଦାମୋହରେ ପହଞ୍ଚି ଥିବା ବେଳେ ମହିଳା ଜଣକ ଘରୁ  କାହିଁକି ପଳାଇ ଆସିଥିଲେ ସେ ବିଷୟରେ ସେମାନେ  ଜାଣି ନ ଥିବା କହିଛନ୍ତି। ଘଟଣା ଦିନ ଦାମୋହ ଶିଶୁ କଲ୍ୟାଣ ବିଭାଗ ଶିଶୁଟିକୁ ନିଜ ହେପାଜତରେ ରଖିଥିବା ବେଳେ ଆଜି ପରିବାର ଲୋକ ପହଞ୍ଚିବା ପରେ ହସ୍ତାନ୍ତର କରିଛି।  ଅନ୍ୟପକ୍ଷରେ ପୋଲିସ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି। ମହିଳା ଜଣକ ଟ୍ରେନ୍‌ରେ ଖସିପଡ଼ିଥିଲେ ତାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବୁଧବାର ଦାମୋହ ରେଳ ଲାଇନରେ ଏହି ମହିଳା ଜଣକ ମରି ପଡ଼ିଥିବା ବେଳେ ସେଠାରେ ତା’ର ପିଲାଟି କ୍ଷୀର ପିଇବାର ଦୃଶ୍ୟ ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା।