ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଏସଏଆର ଗିଲାନୀ ଗିରଫ

ନୂଆଦିଲ୍ଲୀ: ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଏସଏଆର ଗିଲାନୀଙ୍କୁ ଗିରଫ କରଯାଇଛି। ଆଜି ଭୋର ପ୍ରାୟ ତିନିଟାରେ ପୋଲିସ ତାଙ୍କୁ ଗିରଫ କରିଛି। ଦିଲ୍ଲୀ ଜେଏନୟୁ ବିଶ୍ୱବିଦ୍ୟାଳୟରେ ଅଫଜଲ ଗୁରୁର  ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ଆୟୋଜନରେ ଗିଲାନୀଙ୍କ ସଂପୃକ୍ତି ଥିବା ନେଇ  ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ଡାକି ପଚରାଉଚରା କରିଥିଲା। ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଆଜି ଭୋର ପ୍ରାୟ ତିନିଟାରେ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଗିଲାନୀଙ୍କ ଡାକ୍ତରୀ ମାଇନା କରାଯାଇଛି। ତାଙ୍କ ବିରୋଧରେ  ଆଇପିସିର ଧାରା ୧୨୪-ଏ(ରାଜଦ୍ରୋହ), ୧୨୦-ବି(ଅପରାଧିକ ଷଡ଼ଯନ୍ତ୍ର) ୧୪୯ ଓ ୩୪ ଅନୁଯାୟୀ କେସ୍ ରୁଜୁ କରାଯାଇଥିବା ଜଣାପଡିଛି। ପ୍ରଫେସର ଗିଲାନୀଙ୍କୁ ଗତ ୨୦୦୧ରେ ସଂସଦ ଆକ୍ରମଣ  ଘଟଣାରେ ମଧ୍ୟ ଗିରଫ କରାଯାଇଥିଲା। ତେବେ ପ୍ରମାଣ ଅଭାବରୁ  ଦିଲ୍ଲୀ ଉଚ୍ଚ ନ୍ୟାୟଳୟ ତାଙ୍କୁ ୨୦୦୩ରେ ଖଲାସ କରି ଦେଇଥିଲା। ୨୦୦୫ରେ ଦିଲ୍ଲୀ ହାଇକୋର୍ଟର ଏହି ଶୁଣାଣିକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ। ଗତ ଫେବ୍ରୁଆରୀ ୧୦ ତାରିଖ ଦିନ ଆତଙ୍କବାଦୀ ଅଫଜଲ ଗୁରୁ ଓ ମକବୁଲ ଭଟ୍ଟଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଫେସର ଗିଲାନୀ ଏକ ସ୍ମୃତି ସଭା ଆୟୋଜନ କରି ସେଠାରେ ଭାରତ ବିରୋଧୀ ନାରାବାଜି କରିଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ପ୍ରେସ୍‌କ୍ଲବ୍ ପରିସରରେ ଆୟୋଜିତ ଏହି ସ୍ମୃତି ସଭା ପାଇଁ ନିଜେ ଗିଲାନୀ ଇ-ମେଲ ଜରିଆରେ ବୁକ୍ କରିଥିଲେ