ଡିଡିସିଏ ଦୁର୍ନୀତି: ଦିଲ୍ଲୀ ସରକାରଙ୍କ ତଦନ୍ତ ରିପୋର୍ଟରେ ନାହିଁ ଅରୁଣ ଜେଟଲୀଙ୍କ ନାଁ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଦୁର୍ନୀତି ମାମଲାରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଗଠିତ ତିନି ଜଣିଆ ତଦନ୍ତକାରୀ କମିଟିର ରିପୋର୍ଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାଁ ନାହିଁ। ରିପୋର୍ଟରେ କୌଣସି ସ୍ଥାନରେ ତାଙ୍କ ନାମ ନାହିଁ। ଡିଡିସିଏର ଅଧ୍ୟକ୍ଷ ଭାବେ ଜେଟଲୀଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ପ୍ରକାର ଦୁର୍ନୀତି ହୋଇ ନ ଥିବା କଥା ରିପୋର୍ଟରେ କୁହାଯାଇଛି। ଜେଟଲୀ ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ ଡିଡିସିଏର ସଭାପତି ଥିଲେ। ତେବେ ଏହି ରିପୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଆପକୁ ଝଟକା ସଦୃଶ ହୋଇଛି। କାରଣ କେଜ୍ରିୱାଲ୍ ଓ ଆପ୍ ପକ୍ଷରୁ ଜେଟଲୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ କରାଯାଇଥିଲା।

ଦିଲ୍ଲୀର ଭିଜିଲାନ୍ସ ବିଭାଗ ସଚିବ ଚେତନ ସାଂଘିଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଡିଡିସିଏ ନାଁରେ ଏକାଧିକ ଅଭିଯୋଗ ଆସିଥିବା ଯୋଗୁଁ ବିସିସିଆଇ ଏହାକୁ ତୁରନ୍ତ ନିଲମ୍ବିତ କରି ଦେବା ଉଚିତ୍। ତା’ସହିତ କୋଟଲା ଷ୍ଟାଡିୟମର କୋର୍ପୋରେଟ୍ ବକ୍ସ ଆଦି ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା, ସେନେଇ ମଧ୍ୟ କମିଟି ନିଜର ପର୍ଯ୍ୟବେକ୍ଷଣକୁ ଉଲ୍ଲେଖ କରିଛନ୍ତି। ସେହିପରି ଡିଡିସିଏ ବ୍ୟାପାରରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଯୋଗୁଁ ବିସିସିଆଇକୁ ମଧ୍ୟ ସମାଲୋଚନା କରିଛି କମିଟି।

ଡିଡିସିଏରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ଏଥିରେ ଜେଟଲୀ ସଂପୃକ୍ତ ଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଅଭିଯୋଗ କରିଥିଲେ। ତାଙ୍କ ପ୍ରମୁଖ ଶାସନ ସଚିବଙ୍କ ଅଫିସରେ ସିବିଆଇ ରେଡ୍ ପରେ ସେ ଏହି ଅଭିଯୋଗ କରିଥିଲେ। ଡିଡିସିଏର ଫାଇଲଗୁଡ଼ିକୁ ଯାଞ୍ଚ୍ କରିବା ପାଇଁ ସିବିଆଇ ଏହି ରେଡ୍ କରିଥିଲା ବୋଲି କେଜ୍ରିୱାଲ୍ ଅଭିଯୋଗ କରିଥିଲେ। ଏନେଇ ଜେଟଲୀ ବଡ଼ ଅକଳିଆ ସ୍ଥିତିରେ ପଡ଼ିଥିଲେ। ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଥିଲା। ତେବେ ସେ ଏହି ଅଭିଯୋଗକୁ ପ୍ରାରମ୍ଭରୁ ଖଣ୍ଡନ କରି ଆସୁଥିଲେ।

କେନ୍ଦ୍ରରେ ଉପା ସରକାର ଅମଳରେ ମଧ୍ୟ ଡିଡିସିଏ ନେଇ ଏସଏଫଆଇଓ ପକ୍ଷରୁ ତଦନ୍ତ କରାଯାଇଥିଲା। ସେତେବେଳେ ମଧ୍ୟ ଡିଡିସିଏରେ ଜେଟଲୀଙ୍କ ଅମଳରେ କୌଣସି ଦୁର୍ନୀତି ହୋଇ ନାହିଁ ବୋଲି ରିପୋର୍ଟ ଦିଆଯାଇଥିଲା।