‘ରାମ ରାମ’ କହି ଜଳନ୍ତା ଜୁଇରୁ ଉଠି ପଡ଼ିଲା ଶବ

ପାଟନା: ଅତ୍ୟଧିକ ଥଣ୍ଡା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘରେ କାନ୍ଦ ବୋବାଳି ଭିତରେ ସଂପର୍କୀୟ ଓ ଗାଁ ଲୋକେ ତାଙ୍କ ମୃତଦେହକୁ ଶ୍ମଶାନକୁ ନେଇ ଯାଇଥିଲେ। ଅନ୍ତିମ ସଂସ୍କାରର ସମସ୍ତ ନୀତି ନିୟମ ଶେଷ ହେବା ପରେ ଜୁଇରେ ଅଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ତା’ପରେ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା। କେହି ଏହାକୁ ହଠାତ୍ ବିଶ୍ୱାସ କରି ପାରି ନଥିଲେ। ଜୁଇ ଜଳିବାକୁ ଆରମ୍ଭ କରିବା ମାତ୍ରେ ମୃତ ବ୍ୟକ୍ତି ଜଣଙ୍କ ‘ରାମ ରାମ’ କହି କାଠଗୁଡ଼ିକୁ ଫିଙ୍ଗି ବାହାରି ଆସିଥିଲେ। ଏହା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ଅନେକ ଭୟରେ ଦୌଡ଼ି ପଳାଇ ଥିଲେ। ସେ ଘରକୁ ଫେରିବା ପରେ ସେଠାରେ ଉପସ୍ଥିତ ପରିବାରର ଅନ୍ୟ ସଦସ୍ୟ ଓ ସଂପର୍କୀୟମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅବଶ୍ୟ ପରେ ପରେ ସେମାନେ ସମସ୍ତେ ଖୁସିରେ କାନ୍ଦି ପକାଇଥିଲେ। ଘଟଣାଟି ବିହାରର ରାଜଧାନୀ ପାଟନା ନିକଟସ୍ଥ ମରାଚୀ ଗାଁର।

ଅତ୍ୟଧିକ ଶୀତ ଯୋଗୁଁ ଗାଁର ମନୋଜ ମଲିକଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ପରିବାର ଲୋକେ ସଂପର୍କୀୟ ଓ ଗାଁ ଲୋକଙ୍କ ସହଯୋଗରେ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ତାଙ୍କୁ ଜୁଇକୁ ନେବା ପର୍ଯ୍ୟନ୍ତ କାହାରି ବି ସନ୍ଦେହ ହୋଇନଥିଲା ଯେ ସେ ବଞ୍ଚି ଥାଇପାରନ୍ତି।

ଡାକ୍ତରମାନଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଥଣ୍ଡା ଯୋଗୁଁ ତାଙ୍କ ଶ୍ୱାସକ୍ରିୟା ଖୁବ୍ ଦୁର୍ବଳ ହୋଇଯାଇଥିଲା। ତେଣୁ ସମସ୍ତେ ଧରି ନେଇଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଜୁଇରେ ନିଆଁ ଲାଗିବା ପରେ ତାଙ୍କର ଶରୀରକୁ ଉଷୁମ ମିଳିଲା ଓ ଶ୍ୱାସ କ୍ରିୟା ସ୍ୱାଭାବିକ ହୋଇଗଲା।