ନିୟତିର ନିଷ୍ଠୁର ହୃଦୟ: ମଲା ମା’ଠାରୁ ‍କ୍ଷୀର ପିଇଲା ଶିଶୁ

ଭୋପାଳ:ହୃଦୟ ବିଦାରକ ଦୃଶ୍ୟ। ଦେଖିଲେ ଆଖିରୁ ଲୁହ ଜକେଇଯିବ । ଏମିତି ଘଟଣା କଳ୍ପନା ବି କରାଯାଇପାରେନା। ଜଣେ ନୀରିହ, ନିଷ୍ପାପ ଶିଶୁ  ପାଇଁ ନିୟତି ଯେ କେତେ ନିଷ୍ଠୁର ହୋଇପାରେ ତା’ର ଦୃଷ୍ଟାନ୍ତ ମଧ୍ୟପ୍ରଦେଶର ଦାମୋହ ନିକଟରେ ଦେଖିବାକୁ ମିଳିଛି।  ଆଉ ଦୃଶ୍ୟଟି ହେଉଛି ଯେ, ମରିଯାଇଥିବା ମା’ ପାଖରୁ ତାର ସନ୍ତାନ କ୍ଷୀର ପିଉଛି। ବୁଧବାର ଏହି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଦାମୋହ ନିକଟରେ ଘଟିଛି ।

ଭୋପାଳଠାରୁ  ୨୫୦କିମି ଦୂରରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ମିଳିଥିବା ସୂଚନା ଅନୁଯାୟୀ ଦାମୋହ ରେଳଲାଇନ ନିକଟରେ ଆଜି ସକାଳେ ଜଣେ ମହିଳା ତଳେ ପଡ଼ିଥିବା ଦେଖାଯାଇଥିଲା।  ଯାହା ଜଣା ପଡୁଥିଲା, ମହିଳା ଜଣକ  ଟ୍ରେନ୍‌ରୁ  ଖସିଥାଇ ପାରନ୍ତି କିମ୍ବା କେହି ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଚିହ୍ନ ରହିଛି। ତେବେ ମହିଳା ଜଣକ ପଡ଼ିଥିବା ବେଳେ ପାଖରେ ଶିଶୁ କ୍ଷୀର ପିଉଥିବା ଦେଖାଯାଇଥିଲା। ଲୋକେ ପାଖକୁ ଯାଇ ଦେଖିବା ବେଳକୁ ମହିଳା ଜଣକ ପ୍ରାଣ ହରାଇ ସାରିଥିଲେ।

ସଙ୍ଗେ ସଙ୍ଗେ  ଆରପିଏଫକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏପରିକି  ଏହି ଦୃଶ୍ୟକୁ କିଛି ଲୋକ ମୋବାଇଲରେ ଉଠାଇବା ପରେ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଶିଶୁଟି ସୁସ୍ଥ ଥିବା  ସ୍ଥାନୀୟ ପୋଲିସ ଅଧିକାରୀ ଅନୀଲ ମାରାୱି କହିଛନ୍ତି। ପରେ ଶିଶୁଟିକୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏଡମିଶନ୍ ଫି କେହି ନଦେବାରୁ ଡାକ୍ତର ବି ଶିଶୁଟିକୁ ଦେଖି ନଥିଲେ।  ପରେ ଶିଶୁ ସୁରକ୍ଷା ବିଭାଗ ପହଞ୍ଚି ଶଶୁଟିକୁ ନିଜ ହେପାଜତକୁ ନେଇଛି। ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।