ଶ୍ରୀ ଦେବୀଙ୍କ ମୃତ୍ୟୁର କାରଣ ପୂର୍ଣ୍ଣ ହୃଦରୋଧ ! କ’ଣ ଏହାର ଲକ୍ଷଣ ଜାଣନ୍ତୁ

ଭୁବନେଶ୍ୱର (ଦେବଦତ୍ତ ରଥ): ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ କିପରି ହେଲା? ସେ ତ’ ଖୁବ୍ ସୁସ୍ଥ ଥିଲେ। ୫/୭ ଦିନ ପୂର୍ବେ ସେ ଜଗିଂ ମଧ୍ୟ କରୁଥିଲେ। କିନ୍ତୁ ହଠାତ ଏପରି କିପରି ହୋଇଗଲା? ତାଙ୍କ ମୃତ୍ୟୁକୁ ନେଇ ଅନେକ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି।

ସ୍ୱାମୀ ବୋନି କପୁର ଏବଂ ସାନ ଝିଅ ଖୁସି ସହ ଏକ ବାହାଘରରେ ଯୋଗ ଦେବାକୁ ସେ ଦୁବାଇ ଯାଇଥିଲେ। ବାହାଘର ପରେ ହୋଟେଲରେ ବାଥ ରୁମକୁ ଯାଇଥିବା ସମୟରେ ହଠାତ ପଡ଼ି ଯାଇଥିଲେ। ପରେ  ତାଙ୍କୁ ମୃତ ଘୋଷଣା କରାଗଲା।

ଶ୍ରୀ ଦେବୀଙ୍କୁ ହାର୍ଟ ଆର୍ଟାକ୍ (ହୃଦଘାତ) ହୋଇ ସେ ମୃତ୍ୟୁ ବରଣ କରି ନାହାଁନ୍ତି। ତାଙ୍କୁ କାର୍ଡିଆକ୍ ଆରେଷ୍ଟ (ପୂର୍ଣ୍ଣ ହୃଦରୋଧ) ହୋଇଥିଲା ବୋଲି ଚର୍ଚ୍ଚା ହେଉଛି। ସାଧାରଣତଃ ଲୋକେ ଏ ଦୁଇଟି ଭିତରେ ଫରକ ବୁଝନ୍ତି ନାହିଁ। ହାର୍ଟ ଆର୍ଟାକ୍ ଏବଂ କାର୍ଡିୟାକ୍ ଆରେଷ୍ଟ ଆଦୌ ଏକା କଥା ନୁହେଁ। ହାର୍ଟ ଆର୍ଟାକ୍ ଠାରୁ କାର୍ଡିୟାକ୍ ଆରେଷ୍ଟ ବିପଜ୍ଜନକ। ମାୟୋ କାଡିୟଲ ଇନଫେକସନ କାରଣରୁ ହାର୍ଟ ଆର୍ଟାକ ହୋଇଥାଏ। ଏହା ଦ୍ୱାରା କୋରାନରୀ ଧମନୀ ଅଚାନକ ବ୍ଲକ ହୋଇଯାଇଥାଏ। ହାର୍ଟ ଆର୍ଟାକ ବା ହୃଦଘାତରେ ହଠାତ ହୃଦୟର କୌଣସି ମାଂସପେଶୀକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇ ଯାଇଥାଏ ଏବଂ ହୃଦୟର କିଛି ‘ପେଶୀ’ କାମ କରିବା ବନ୍ଦ କରି ଦିଅନ୍ତି। କିନ୍ତୁ ହାର୍ଟ ଆର୍ଟାକରେ ହୃଦୟର ଅନ୍ୟାନ୍ୟ ଅଂଶକୁ ରକ୍ତ ସଞ୍ଚାଳନ କରିଥାଏ। ଏଥିସହ ରୋଗୀର ଚେତା ରହିଥାଏ।

କିନ୍ତୁ କାର୍ଡିୟାକ୍ ଆରେଷ୍ଟ (ପୂର୍ଣ୍ଣ ହୃଦରୋଧ)ରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇ ଯାଇଥାଏ। ହୃଦଘାତ କାରଣରୁ ମଧ୍ୟ କାର୍ଡିୟାକ ଆରେଷ୍ଟ ହୋଇଥାଏ। ଏହା ଦ୍ୱାରା ଶରୀର ଭିତରେ ଅମ୍ଳଜାନ ବିତରଣ ବନ୍ଦ ହୋଇଯାଇ ଥାଏ। ଫଳରେ ରୋଗୀ କୋମା ଷ୍ଟେଜକୁ ଯିବାର ଯଥେଷ୍ଟ ଆଶଙ୍କା ରହିଥାଏ। ଏଠି ରୋଗୀଙ୍କୁ ତୁରନ୍ତ କାର୍ଡୟୋ ପଲ୍ମନରି (ସିଆରପି) ଦେବାକୁ ପଡ଼ିଥାଏ। ଏପରିକି ରୋଗୀକୁ ଇଲେଟ୍ରିକ୍ ସକ ମଧ୍ୟ ଦିଆଯାଏ। ଡିଫାଇବ୍ରିଲେଟର ନାମକ ମେସିନରେ ଏହି ସକ୍ ଦିଆଯାଏ ଏବଂ ଏହା ରୋଗୀର ଶେଷ ଆଶ୍ରା ହୋଇଥାଏ।